ମଧ୍ୟ-ପ୍ରାଚ୍ୟକୁ ଯିବା ବାଟରେ ଭାରତୀୟ ନୌସେନା ସହ ମିଳିତ ସମରାଭ୍ୟାସ କରିବ ଆମେରିକା ନୌସେନାର ବିମାନବାହୀ ଯୁଦ୍ଧପୋତ ‘ୟୁଏସ୍‌ଏସ୍ ନିମିଜ୍’

ନୂଆଦିଲ୍ଲୀ: ଦକ୍ଷିଣ ଚୀନ୍ ସାଗରରୁ ମଧ୍ୟ-ପ୍ରାଚ୍ୟରେ ମୁତୟନ ହେବାକୁ ଯିବା ପଥରେ ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ବିମାନବାହୀ ଯୁଦ୍ଧପୋତ ‘ୟୁଏସ୍‌ଏସ୍’ ନିମିଜ୍ ଭାରତୀୟ ନୌସେନାର ଯୁଦ୍ଧପୋତମାନଙ୍କ ସହ ଆଜି ମ‌ୌଳିକ ସମରାଭ୍ୟାସ କରିବ। ବେଆଇନ ଭାବେ ପଡ଼ୋଶୀମାନଙ୍କ ସମୁଦ୍ର ଏବଂ ସ୍ଥଳଭାଗ ଦଖଲ କରୁଥିବା ଚୀନ୍‌ ପ୍ରତି ଏହା ହେବ କଡ଼ା ବାର୍ତ୍ତା।

‘ୟୁଏସ୍-ଇଣ୍ଡିଆ ପାସେକ୍ସ’ ବା ଯାତ୍ରାକାଳୀନ ସମରାଭ୍ୟାସ କୁହାଯାଉଥିବା ଏହି ସମରାଭ୍ୟାସ ଆଜି ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ନିକଟ ମାଲାକା ଷ୍ଟେଟ୍‌ରେ ଅନୁଷ୍ଠିତ ହେବ। ସମ୍ପ୍ରତି ଭାରତୀୟ ନୌସେନାର ‘ଇଷ୍ଟର୍ଣ୍ଣ ଫ୍ଲିଟ୍‌’ ବା ପୂର୍ବାଞ୍ଚଳ ଯୁଦ୍ଧପୋତ ସବୁ ଆଣ୍ଡାମାନ ଓ ନିକୋବର ଦ୍ବୀପପୁଞ୍ଜ ନିକଟରେ ସମରାଭ୍ୟାସ ଚଳାଇଛନ୍ତି।

Image Courtesy of Navy Recognition

ଅଳ୍ପ କେତେ ସପ୍ତାହ ତଳେ ଫିଲିପ୍ପିନୀୟ ସମୁଦ୍ରରେ ଆମେରିକାର ଦୁଇଟି ଲଢୁଆ ବିମାନବାହୀ ଯୁଦ୍ଧତରୀ ‘ୟୁଏସ୍‌ଏସ୍ ନିମିଜ୍’ ଏବଂ ‘ୟୁଏସ୍‌ଏସ୍ ଥିଓଡିଓର୍ ରୁଜ୍‌ଭେଲ୍‌ଟ୍‌’ ସମରାଭ୍ୟାସ ଚଳାଇଥିଲେ। ମାଲେସିଆ ଓ ଇଣ୍ଡୋନେସିଆ ମଧ୍ୟରେ ଥିବା ସଙ୍କୀର୍ଣ୍ଣ ଜଳପଥ ମାଲାକା ଷ୍ଟ୍ରେଟ୍‌ ହେଉଛି ବିଶ୍ବର ଅନ୍ୟତମ ବ୍ୟସ୍ତବହୁଳ ଜାହାଜ ଯାତାୟାତ କରୁଥିବା ପଥ। ଏହି ପଥ ଦେଇ ଚୀନ୍ ସମେତ ବାକି ଏସୀୟ ଅଞ୍ଚଳକୁ ବିଶ୍ବର ଉଲ୍ଲେଖଯୋଗ୍ୟ ପରିମାଣ ତୈଳ ପରିବହନ କରାଯାଏ।

ଯୁକ୍ତରାଷ୍ଟ୍ର ଆମେରିକା ବୃହଦ୍‌କାୟ ଯୁଦ୍ଧତରୀ ‘ୟୁଏସ୍‌ଏସ୍‌ ନିମିଜ୍’ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟର ପେସିଫିକ୍ ଫ୍ଲିଟ୍‌ କମାଣ୍ଡର୍ ଚେଷ୍ଟର୍ ଡବ୍ଲୁ ନିମିଜ୍‌ଙ୍କ ନାମାନୁସାରେ ନାମିତ। ଏହି ଯୁଦ୍ଧତରୀରେ ନୌସେନା ଓ ବାୟୁସେନା କର୍ମଚାରୀଙ୍କୁ ମିଶାଇ ୬୦୦୦ ରୁ ଅଧିକ କ୍ରୁ’ ଅଛନ୍ତି। ଲଢୁଆ ବିମାନ ସମତେ ଏଥିରେ ପ୍ରାୟ ୯୦ଟି ବିମାନ ରହିଛି। ଆଣବିକ ଶକ୍ତିଚାଳିତଏହି ଯୁଦ୍ଧପୋତର ନିର୍ମାତା ହେଉଛି ‘ହଣ୍ଟିଙ୍ଗ୍‌ଟନ୍ ଇନ୍‌ଗଲ୍ସ ଇଣ୍ଡଷ୍ଟ୍ରିଜ୍ ନିଉପୋର୍ଟ ନିଉଜ୍ ସିପ୍‌ବିଲ୍‌ଡିଙ୍ଗ୍‌ କମ୍ପାନି’। ୧୯୭୫ ମସିହା ମେ ୩ ତାରିଖ ଦିନ ଏହା ନୌସେନାରେ ସାମିଲ ହୋଇଥିଲା।

ସମ୍ବନ୍ଧିତ ଖବର