ନୂଆଦିଲ୍ଲୀ : କରୋନା ମହାମାରୀ ସମଗ୍ର ବିଶ୍ବକୁ କବଳିତ କରି ରଖିଥିବାବେଳେ ଏହି ଭୁତାଣୁ କେଉଁଠାରୁ ସୃଷ୍ଟି ହେଲା ତାହାକୁ ନେଇ ଖୋଳତାଡ଼ ଜାରି ରହିଛି । ସମସ୍ତଙ୍କ ସଂଦେହ ଚୀନର ଉହାନରେ ଥିବା ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀ (ଡବ୍ଲୁଆଇଭି) ଉପରେ । ତେବେ ଏହି ଗବେଷଣାଗାର ସହ ସଂପୃକ୍ତ ଥିବା ଏକ ଆମେରିକୀୟ ଏନଜିଓର ଭୂମିକା ମଧ୍ୟ ସଂଦେହ ଘେରକୁ ଆସିଯ଼ାଇଛି । ଏହି ଏନଜିଓର ହେଉଛି ଡ. ପିଟର ଡାସଜାକଙ୍କ ଇକୋ ହେଲଥ ଆଲାଏନ୍ସ । କରୋନା ଭୁତାଣୁ ଉପରେ ଗବେଷଣା କରିବାକୁ ଏହି ଏନଜିଓ ଉହାନ ଇନଷ୍ଟିଚ୍ୟୁଟକୁ ପାଣ୍ଠି ଯ଼ୋଗାଣ କରିଥିଲା । ଆହୁରି ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଏନଜିଓ ଆମେରିକା ସରକାରଙ୍କଠାରୁ କୋଟି କୋଟି ଟଙ୍କାର ଅନୁଦାନ ପାଇଥାଏ । ଆମେରିକାର ପ୍ରତିରକ୍ଷା ସଂସ୍ଥା ପେଣ୍ଟାଗନ ୨୦୧୩ରେ ଏହି ଏନଜିଓକୁ ପ୍ରାୟ ୩୯ ନିୟୁତ ଡଲାର ପାଣ୍ଠି ପ୍ରଦାନ କରିଥିଲା । ୨୦୧୭ରୁ ୨୦୨୦ ମଧ୍ୟରେ ଏହି ଏନଜିଓ ପ୍ରାୟ ୧୨୩ ନିୟୁତ ପାଣ୍ଠି ପାଇଥିଲା । ଏହି ପାଣ୍ଠିର ଏକ ବଡ଼ ଅଂଶ କରୋନା ଭୁତାଣୁ ଉପରେ କରାଯ଼ାଇଥିଲା ଗେନ ଅଫ ଫଙ୍କସନ ନାମକ ଗବେଷଣା ପାଇଁ ପ୍ରଦାନ କରାଯ଼ାଇଥିଲା ।

Advertisment

ମାତ୍ର ଗତ ବର୍ଷ ଆମେରିକାର ଡୋନାଲ୍ଡ ଟ୍ରମ୍ପ ଏହି ଏନଜିଓକୁ ଦିଆଯ଼ିବାକୁ ଥିବା ୩.୭ ନିୟୁତ ଡଲାରର ପାଣ୍ଠିକୁ ବାତିଲ କରିଦେଇଥିଲେ । କରୋନା ଭୁତାଣୁ ଉହାନ ଇନଷ୍ଟିଚ୍ୟୁଟ ଅଫ ଭାଇରୋଲୋଜୀରୁ ବାହାରି ଥିବା ସଂଦେହ ହେବା ପରେ ଟ୍ରମ୍ପ ଏହି ନିଷ୍ପତ୍ତି ନେଇଥିଲେ ।