ରୁଷ୍ ସହ ଯୋଗସୂତ୍ର ଥିବା ସାଇବର୍କ୍ରାଇମ୍ ଗ୍ରୁପ୍ର ସନ୍ଧାନ ପାଇଁ ୧୦ ନିୟୁତ ଡଲାର୍ ପୁରସ୍କାର ଘୋଷଣା କଲା ଆମେରିକା
ନୂଆଦିଲ୍ଲୀ: ରୁଷ୍ ସହ ଯୋଗସୂତ୍ର ଥିବା ଏକ ପ୍ରମୁଖ ସାଇବର୍କ୍ରାଇମ୍ ଗ୍ରୁପ୍ର ସନ୍ଧାନ କିଂବା ଅବସ୍ଥିତି ସମ୍ବନ୍ଧରେ ସୂଚନା ପାଇବା ପାଇଁ ଗୁରୁବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ୧୦ ନିୟୁତ ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ଘୋଷଣା କରିଛନ୍ତି। ‘ଡାର୍କସାଇଡ୍’ ନାମକ ଏହି ସାଇବର୍କ୍ରାଇମ୍ ସଂସ୍ଥାନ ରୁଷ୍ରେ ଥିବା କଥା ‘ଏଫ୍ବିଆଇ’ କହିଛି।
‘ଏଫ୍ବିଆଇ’ କହିଛି ଯେ, ମେ ମାସରେ ହୋଇଥିବା ସାଇବର୍ ଆକ୍ରମଣ ପାଇଁ ‘ଡାର୍କସାଇଡ୍’ ହିଁ ଦାୟୀ। ‘କଲୋନିୟାଲ୍ ପାଇପ୍ଲାଇନ୍’ ଉପରେ ହୋଇଥିବା ଏହି ଆକ୍ରମଣ ଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଦକ୍ଷିଣପୂର୍ବାଞ୍ଚଳରେ ଗ୍ୟାସ୍ ଯୋଗାଣ ଗୋଟିଏ ଦିନ ବନ୍ଦ ରହିବାରୁ ଗ୍ୟାସ୍ ଦର ବୃଦ୍ଧି ପାଇଥିଲା। ଲୋକେ ଆତଙ୍କିତ ହୋଇ ଗ୍ୟାସ୍ କିଣିବାରୁ ସ୍ଥାନୀୟ ଅଞ୍ଚଳରେ ଇନ୍ଧନ ସଙ୍କଟ ଉପୁଜିଥିଲା।

ବୈଦେଶିକ ବିଭାଗ ଆହୁରି ମଧ୍ୟ କହିଛି ଯେ, ‘ଡାର୍କସାଇଡ୍ ରାନ୍ସମ୍େଓ୍ଵର୍’ ଘଟଣାରେ ଯେକୌଣସି ଦେଶରେ ଗିରଫ କିଂବା ଦୋଷୀସାବ୍ୟସ୍ତ ହୋଇଥିବା କୌଣସି ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମଧ୍ୟ ୫ ନିୟୁତ ଡଲାର୍ ପର୍ଯ୍ୟନ୍ତ ପୁରସ୍କାର ଦିଆଯିବ।
ଏକ ବିବୃତିରେ ବୈଦେଶିକ ବିଭାଗ କହିଛି, ଏହି ପୁରସ୍କାର ଘୋଷଣା କରି ସମଗ୍ର ବିଶ୍ୱରେ ସାଇବର୍ ଠକେଇରେ ସରବ୍ୟ ବ୍ୟକ୍ତିବିଶେଷଙ୍କୁ ସାଇବର ଅପରାଧିକଙ୍କ ଶାଷଣରୁ ସୁରକ୍ଷା ଦେବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ତା’ର ପ୍ରତିଶ୍ରୁତି ପାଳନ କରୁଛି।
‘କଲୋନିୟାଲ୍ ପାଇପ୍ଲାଇନ୍’ କହିଛି ଯେ, ‘ସିଷ୍ଟମ୍ ଆକ୍ସସେସ’୍ ଫେରି ପାଇବାକୁ ହ୍ୟାକର୍ମାନଙ୍କୁ ‘ବିଟ୍କଏନ୍’ ଜରିଆରେ ପ୍ରାୟ ୫ ନିୟୁତ ଡଲାର୍ ଦେବାକୁ ପଡ଼ିଥିଲା। ଜୁନ୍ ମାସରେ ‘ୟୁଏସ୍ ଜଷ୍ଟିସ୍ ଡିପାର୍ଟମେଣ୍ଟ୍’ ସେଥିରୁ ପ୍ରାୟ ୨.୩ ନିୟୁତ ଡଲାର୍ ଉଦ୍ଧାର କରିଥିଲା।