ଭାରତ-ଚୀନ୍ ସେନା ସଂଘର୍ଷ: ୨୦ ଜଣ ସହିଦ ଭାରତୀୟ ଯବାନଙ୍କ ପରିବାର ପ୍ରତି ଶୋକ ବ୍ୟକ୍ତ କଲା ଆମେରିକା

ନୂଆଦିଲ୍ଲୀ: ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ୍ ଉପତ୍ୟକା ଅଞ୍ଚଳରେ ଭାରତୀୟ ଏବଂ ଚୀନ୍ ସୈନିକମାନଙ୍କ ମଧ୍ୟରେ ତୁମୁଳ ସଂଘର୍ଷ ଯୋଗୁଁ ସହିଦ ହୋଇଥିବା ୨୦ ଜଣ ଭାରତୀୟ ସୈନିକଙ୍କ ପରିବାର ପ୍ରତି ଯୁକ୍ତରାଷ୍ଟ୍ର ଆମେରିକା ଶୋକ ପ୍ରକାଶ କରିଛି।

ମଙ୍ଗଳବାର ରାତିରେ ଯୁକ୍ତରାଷ୍ଟ୍ର ଆମେରିକା ବୈଦେଶିକ ବିଭାଗର ମୁଖପାତ୍ର କହିଛନ୍ତି ଯେ, ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଭାରତ ଓ ଚୀନ୍ ସୈନିକମାନଙ୍କ ପରିସ୍ଥିତି ଉପରେ ୱାସିଂଟନ୍ ଦୃଷ୍ଟି ରଖିଛି। ଆମ୍ଭେ ଜାଣିବାକୁ ପାଇଲୁ ଯେ, ୨୦ ଜଣ ଯବାନ ସହିଦ ହୋଇଥିବା କଥା ଭାରତୀୟ ସେନାବାହିନୀ ଘୋଷଣା କରିଛି। ଆମେ ସେମାନଙ୍କ ପରିବାର ପ୍ରତି ଶୋକ ବ୍ୟକ୍ତ କରୁଛୁ। ଉତ୍ତେଜନା ପ୍ରଶମନ ପାଇଁ ଉଭୟ ଭାରତ ଓ ଚୀନ୍ ଆଗ୍ରହ ପ୍ରକାଶ କରିଛନ୍ତି। ଆମେ ସାମ୍ପ୍ରତିକ ପରିସ୍ଥିତିର ଶାନ୍ତିପୂର୍ଣ୍ଣ ସମାଧାନକୁ ସମର୍ଥନ କରୁଛୁ। ୨୦୨୦ ଜୁନ୍ ୨ ତାରିଖରେ ଫୋନ୍‌ରେ କଥାବାର୍ତ୍ତା ବେଳେ ରାଷ୍ଟ୍ରପତି ଟ୍ରମ୍ପ୍ ଓ ପ୍ରଧାନମନ୍ତ୍ରୀ ମୋଦୀ ଭାରତ-ଚୀନ୍ ସୀମାନ୍ତ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।

Image Courtesy of The Indian Express

ଏହା ବ୍ୟତିରେକେ, ବାସ୍ତବ ନିୟନ୍ତ୍ରଣ ରେଖା ଠାରେ ଭାରତ ଏବଂ ଚୀନ୍ ମଧ୍ୟରେ ହିଂସାକାଣ୍ଡ ଏବଂ ମୃତ୍ୟୁ ଯୋଗୁଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟେରେସ୍ ଚିନ୍ତା ପ୍ରକଟ କରିଛନ୍ତି। ଆତ୍ମ-ସଂଯମ ବଜାୟ ରଖିବାକୁ ସେ ଉଭୟ ପକ୍ଷଙ୍କୁ କହିଥିବା କଥା ତାଙ୍କର ମୁଖପାତ୍ର ମଙ୍ଗଳବାର ଦିନ କହିଛନ୍ତି। ଏ କଥା ଜାତିସଂଘ ମହାସଚିବଙ୍କ ସହକାରୀ ମୁଖପାତ୍ର ଏରି କେନ୍‌କୋ ସାମ୍ବାଦିକ ସମ୍ମିଳନୀରେ ‌କହିଛନ୍ତି।

ସମ୍ବନ୍ଧିତ ଖବର