ନାଟୋ ସମରାଭ୍ୟାସରେ ଯୋଗ ଦେଇଥିବା ଆମେରିକୀୟ ଯୁଦ୍ଧବିମାନ ଦୁର୍ଘଟଣାଗ୍ରସ୍ତ, ୪ ସୈନ୍ୟ ମୃତ

ଲଣ୍ଡନ : ନରଓ୍ବେରେ ଚାଲିଥିବା ନାଟୋ ସମରାଭ୍ୟାସରେ ଯୋଗଦେଇଥିବା ଆମେରିକାର ଏକ ଯୁଦ୍ଧବିମାନ ଶୁକ୍ରବାର ରାତିରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ବସିଥିବା ସମସ୍ତ ୪ ସୈନ୍ୟ ମୃତ୍ୟୁବରଣ କରିଛନ୍ତି ।

ନରଓ୍ବେର ପ୍ରଧାନମନ୍ତ୍ରୀ ଜୋନାସ୍ ଗାର ଷ୍ଟୋର୍ କହିଛନ୍ତି ଯେ ଶୁକ୍ରବାର ରାତିରେ ଆମେରିକାର ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ସବାର ଥିବା ୪ ଜଣ ଯାକ ଆମେରିକୀୟ ସୈନ୍ୟ ନିହତ ହୋଇଛନ୍ତି । ନରଓ୍ବେ ସେନା ପକ୍ଷରୁ ମଧ୍ୟ ଏହି ଦୁର୍ଘଟଣାକୁ ସ୍ବୀକାର କରାଯାଇଛି ।

ଏହା ପୂର୍ବରୁ ଆମେରିକାର ମେରାଇନ କୋର ପକ୍ଷରୁ ପୂର୍ବରୁ କୁହାଯାଇଥିଲା ଯେ ସେମାନଙ୍କର ଏକ ଏମଭି-୨୨ ବି ଓସପ୍ରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ନରଓ୍ବେର ବେସାମରିକ ପ୍ରଶାସନ ପକ୍ଷରୁ ତଲାସୀ ଓ ଉଦ୍ଧାର କାର୍ଯ୍ୟ କରାଯାଉଛି ।

ନରଓ୍ବେରେ ନାଟୋ ପକ୍ଷରୁ ଏକ ବୃହତ ସମରାଭ୍ୟାସ କରାଯାଉଛି । ଏଥିରେ ନାଟୋ ଦେଶମାନଙ୍କର ମୋଟ ପ୍ରାୟ ୩୦ ହଜାର ସୈନ୍ୟ ୨୦୦ରୁ ଅଧିକ ଯୁଦ୍ଧ ବିମାନ, ୫୦ଟି ଜାହାଜ ଅଂଶଗ୍ରହଣ କରୁଛନ୍ତି । ଏହି ସମରାଭ୍ୟାସର ନାଁ ରଖାଯାଇଛି କୋଲ୍ଡ ରେସପନ୍ସ । ଏହି ସମରାଭ୍ୟାସ ଆସନ୍ତା ଏପ୍ରିଲ ୧ ପର୍ଯ୍ୟନ୍ତ ଚାଲିବ ।

ୟୁକ୍ରେନ ଯୁଦ୍ଧକୁ ନେଇ ନାଟୋ ଓ ରୁଷ ମଧ୍ୟରେ ସଂପର୍କ ଏବେ ଖରାପ ଥିବାବେଳେ ନାଟୋର ଏହି ସମରାଭ୍ୟାସକୁ ବିଶେଷଜ୍ଞମାନେ ବିଶେଷ ଗୁରୁତ୍ବ ପ୍ରଦାନ କରୁଛନ୍ତି । ରୁଷକୁ ଏକ ବାର୍ତ୍ତା ଦେବାକୁ ଏହା କରାଯାଉଥିବା ଅନୁମାନ କରାଯାଉଛି ।

 

 

ସମ୍ବନ୍ଧିତ ଖବର