ଆମେରିକୀୟ ବିମାନରେ ଗଲେ ୬୦୦ ଆତଙ୍କିତ ଆଫଗାନ

କାବୁଲ : ଗୋଟିଏ ବିମାନରେ ସର୍ବାଧିକ କେତେକ ଲୋକ ଯାଇପାରିବେ ? ହାରାହାରି ସିଟ୍ କ୍ଷମତା ଅନୁସାରେ ବୋଧହୁଏ ୩୦୦ କିମ୍ବା ୪୦୦ । କିନ୍ତୁ ଆମେରିକାର ଏକ ସି-୧୭ ଗ୍ଲୋବମାଷ୍ଟର ମିଲିଟାରୀ ବିମାନରେ ଗତକାଲି ୬୦୦ରୁ ଅଧିକ ଆଫଗାନ ଶରଣାର୍ଥୀ କାତାର ଯାଇଛନ୍ତି । ସେମାନଙ୍କ ମଧ୍ୟରେ ମହିଳା, ଶିଶୁ ମଧ୍ୟ ଅଛନ୍ତି । ଏ ନେଇ ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଫଟୋରେ ଦେଖାଯାଉଛି ଯେ ବିମାନଟିରେ ଲୋକମାନେ ତଳେ ବସି ଯାଉଛନ୍ତି । ବିମାନରେ ପାଦ ରଖିବାକୁ ଇଞ୍ଚେ ବି ଜାଗା ନାହିଁ । ଏପରିକି ସେମାନଙ୍କ ପାଖରେ କୌଣସି ଲଗେଜ ନାହିଁ । ପ୍ରାଣ ବିକଳରେ କୌଣସି ପ୍ରକାରେ ସେମାନେ କୌଣସିପ୍ରକାରେ ବିମାନରେ ଚଢି କାତାର ଯାଉଛନ୍ତି ।

ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନରେ ତାଲିବାନର ଶାସନ ଆସିବା ପରେ ଭୟରେ ଲୋକମାନେ ବିଭିନ୍ନ ଦେଶକୁ ପଳାୟନ କରୁଛନ୍ତି । ଶହ ଶହ ଲୋକ କାବୁଲ ଏୟାରପୋର୍ଟରେ ବିମାନ ଅପେକ୍ଷାରେ ରହିଛନ୍ତି । ଏପରିକି ବିମାନରେ ଚଢିବାକୁ ଦଳାଚକଟା ଦେଖିବାକୁ ମିଳିଛି ।

ତେବେ ଏ ପର୍ଯ୍ୟନ୍ତ ଗୋଟିଏ ବିମାନରେ  ସର୍ବାଧିକ କେତେ ଲୋକ ଯିବାର ରେକର୍ଡ ରହିଛି ? ଗୋଟିଏ ବିମାନରେ ସର୍ବାଧିକ ଲୋକ ଯାତ୍ରା କରିବାର ବିଶ୍ବ ରେକର୍ଡ ୧୯୯୧ରେ ଇଥିଓପିଆରେ ସୃଷ୍ଟି ହୋଇଥିଲା । ଅପରେସ ସୋଲୋମୋନ ସମୟରେ ଗୋଟିଏ ବିମାନରେ ପ୍ରାୟ ୧୦୮୮ ଲୋକ ଯାତ୍ରା କରିଥିଲେ । ଏହା ଗିନିସ ରେକର୍ଡ ବୁକରେ ସ୍ଥାନ ପାଇଛି ।

ସମ୍ବନ୍ଧିତ ଖବର