ୱାସିଂଟନ: ଆତଙ୍କବାଦ ପ୍ରସଙ୍ଗରେ ଭାରତର ଉଦ୍ବେଗକୁ ଅଣଦେଖା କରି ଆମେରିକା ଆଜି ଖଲିସ୍ତାନ ଆନ୍ଦୋଳନକାରୀଙ୍କ ଦୃଢ଼ ସମର୍ଥକ ଏକ ଶିଖ୍ ଗୋଷ୍ଠୀଙ୍କ ସହ ଆଲୋଚନା କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନି ଦିନିଆ ସରକାରୀ ଗସ୍ତରେ ଆଜି ଆମେରିକାରେ ପହଞ୍ଚିବାର କିଛି ଘଣ୍ଟା ପୂର୍ବରୁ ହ୍ୱାଇଟ୍ ହାଉସ୍ରେ ଏଭଳି ଆଲୋଚନା ହୋଇଥିବାରୁ ଏହା ଆମେରିକାର ଦୋମୁହାଁ ନୀତିକୁ ପଦାରେ ପକାଇ ଦେଇଛି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଖଲିସ୍ତାନ ଆନ୍ଦୋଳନକୁ ସମର୍ଥନ କରୁଥିବା ଶିଖ୍ମାନଙ୍କ ଏକ ଗୋଷ୍ଠୀକୁ ଭେଟିବା ସହ ସେମାନଙ୍କୁ ନିଜ ମାଟିରେ ଯେକୌଣସି ଆନ୍ତର୍ଜାତିକ ଆକ୍ରମଣରୁ ସୁରକ୍ଷା ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। ହ୍ୱାଇଟ୍ ହାଉସ୍ କହିଛି ଯେ ଆମେରିକୀୟ ନାଗରିକମାନେ ଆମେରିକା ସୀମା ମଧ୍ୟରେ ଥିବାବେଳେ ସେମାନଙ୍କୁ ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ। କାନାଡ଼ା ଓ ଆମେରିକା ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କୁ ଲଗାତାର ଆଶ୍ରୟ ଦେଉଥିବା ଏବଂ ସେମାନଙ୍କ ସୁରକ୍ଷା ପାଇଁ ପଦକ୍ଷେପ ନେଉଥିବାରୁ ଆତଙ୍କବାଦ ପ୍ରସଙ୍ଗରେ ବୈଶ୍ବିକ ରଣନୀତି ଭଣ୍ଡୁର ହେବାରେ ଲାଗିଛି।
ଖଲିସ୍ତାନ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ସହ ଜଡ଼ିତ ବିଭିନ୍ନ ଚରମପନ୍ଥୀ ଗୋଷ୍ଠୀକୁ ଭାରତରେ ନିଷିଦ୍ଧ କରାଯାଇଛି ଏବଂ ସେମାନଙ୍କ ମଧ୍ୟରୁ ଅନେକ ସଂଗଠନ ଗତ କିଛି ଦଶନ୍ଧି ମଧ୍ୟରେ ଆମେରିକା ଓ କାନାଡ଼ାରୁ ଭାରତ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ଚଳାଇଛନ୍ତି। ବାକ୍ ସ୍ବାଧୀନତା ଓ ବ୍ୟକ୍ତି ସ୍ବାଧୀନତା ଆଳରେ ଏହି ଦୁଇ ରାଷ୍ଟ୍ର ଭାରତ ବିରୋଧୀ ସଂଗଠନଗୁଡ଼ିକୁ ପ୍ରଶ୍ରୟ ଦେଉଥିବାରୁ ଆଗକୁ ଭାରତ-ଆମେରିକା ସଂପର୍କ ତିକ୍ତ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ୱାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବା ଏବଂ ନ୍ୟୁୟର୍କରେ ଜାତିସଂଘ ସାଧାରଣ ସଭାରେ ଉଦ୍ବୋଧନ ଦେବା କାର୍ଯ୍ୟକ୍ରମ ରହିଥିବା ବେଳେ ଏହି ସମୟରେ ହ୍ୱାଇଟ୍ ହାଉସ୍ରେ ଶିଖ୍ ବିଚ୍ଛିନ୍ନତାବାଦୀଙ୍କ ବୈଠକ ଚିନ୍ତାର କାରଣ ହୋଇଛି।
ଚଳିତ ସପ୍ତାହରେ ଆମେରିକାରେ ଆଶ୍ରୟ ନେଇଥିବା ଖଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ମଧ୍ୟ ଭାରତ ସରକାର ଓ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ବିରୋଧରେ ମକଦ୍ଦମା ଦାୟର କରିଛି। ଏହାକୁ ଆଧାର କରି ନ୍ୟୁୟର୍କର ଦକ୍ଷିଣ ଜିଲ୍ଲା ଅଦାଲତ ଭାରତ ସରକାର, ‘ର’ ମୁଖ୍ୟ ଓ ଡୋଭାଲଙ୍କୁ ସମନ ଜାରି କରିଛି। ପନ୍ନୁ ଭାରତରେ ଘଟିଥିବା ଅନେକ ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିବା ବେଳେ ଏପ୍ରିଲ ୨୦୨୩ରେ ସୋସିଆଲ ମିଡିଆରେ ସେୟାର ହୋଇଥିବା ଏକ ଭିଡିଓରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କ୍ଷତି ପହଞ୍ଚାଇବାକୁ ଖୋଲାଖୋଲି ଧମକ ଦେଇଥିଲା। ଏହା ସତ୍ତ୍ବେ ପନ୍ନୁ ପ୍ରତି ବାଇଡେନ୍ ପ୍ରଶାସନର ଅହେତୁକ ଦରଦ ସବୁ ମହଲକୁ ବିସ୍ମିତ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/GxSQn04GE7dpenNxcqTL.jpg)