ଓ୍ବାସିଂଟନ : ତାଇଓ୍ବାନ ନିକଟରେ ଚୀନ ଚଳାଇଥିବା ବୃହତ ଯୁଦ୍ଧାଭ୍ୟାସ ଏ ଅଞ୍ଚଳରେ ସ୍ଥିତିକୁ ଏକ ଭୟଙ୍କର ସ୍ଥିତିକୁ ନେଇଯାଇଛି । ଉତ୍ତେଜନା ଏତେ ବଢିଯାଇଛି ଯେ ଏକ ଛୋଟିଆ ଭୁଲରୁ ବିଶ୍ବଯୁଦ୍ଧ ଲାଗିଯିବାର ଆଶଙ୍କା ଦେଖାଗଲାଣି । ଚୀନ ପକ୍ଷରୁ ଆମେରିକାକୁ ଲକ୍ଷ୍ୟ କରି ଏହି ସାମରିକ ଅଭ୍ୟାସ କରାଯାଉଥିବାବେଳେ ଆମେରିକା କିନ୍ତୁ ଉତ୍ତେଜନାକୁ କମାଇବାକୁ କେତେକ ପଦକ୍ଷେପ ନେଇଛି ।
ଚଳିତ ସପ୍ତାହରେ ଆମେରିକା ପକ୍ଷରୁ କରାଯିବାକୁ ଥିବା ଅନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ମିନିଟମ୍ୟାନର ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି । ଏହି ପରୀକ୍ଷଣ କରାଯାଇଥିଲେ ତାହା ଉତ୍ତେଜନାକୁ ଆହୁରି ବଢାଇଦେଇଥାନ୍ତା । ଉଭୟ ରୁଷ ଓ ଚୀନ ଏହାର ଜବାବରେ ପରୀକ୍ଷଣ କରିବାର ଆଶଙ୍କା ଥିଲା । ଏଣୁ ଏହି ପରୀକ୍ଷଣକୁ ସ୍ଥଗିତ ରଖାଯାଇଛି ।
ଏ ସଂପର୍କରେ ପେଣ୍ଟାଗନର ଜଣେ ବରିଷ୍ଠ ଅଧିକାରୀ ଜନ କର୍ବି କହିଛନ୍ତି ଯେ, ଉତ୍ତେଜନାକୁ ବଢାଇବା ଆମର, ତାଇଓ୍ବାନ, ଅଂଚଳର ଓ ବିଶ୍ବ ପାଇଁ ମଙ୍ଗଳକର ନୁହେଁ ।
ସୂଚନାଯୋଗ୍ୟ ଯେ, ଆମେରିକାର ନିମ୍ନ ସଦନର ଅଧ୍ୟକ୍ଷ ନାନସି ପେଲୋସିଙ୍କ ତାଇଓ୍ବାନ ଗସ୍ତ ପରେ ଚୀନ ଭୀଷଣ ପ୍ରତିକ୍ରିୟାଶୀଳ ହୋଇଯାଇଛି ଓ ଗୁରୁବାରଠାରୁ ତାଇଓ୍ବାନକୁ ଘେରି ସମରାଭ୍ୟାସ କରୁଛି । ଗୁରୁବାର ପରି ଶୁକ୍ରବାର ବି ଚୀନ ପକ୍ଷରୁ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଅନ୍ୟପକ୍ଷରେ ଶୁକ୍ରବାରଦି ଚୀନ ପକ୍ଷରୁ ପେଲୋସୀଙ୍କ ପରିବାର ଉପରେ କଟକଣା ଲଗାଇଛି ।