ଓ୍ବାସିଂଟନ : ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ ପାଇଁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶାନ୍ତି ଯୋଜନା ପ୍ରସ୍ତୁତ ରହିଛି ବୋଲି କେତେକ ଗଣମାଧ୍ୟମ  ରିପୋର୍ଟ କରିଛନ୍ତି । ଏପରିକି ସେ ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କିଙ୍କ ସହ କଥା ହୋଇଛନ୍ତି। ସେପଟେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ବି ଟ୍ରମ୍ପଙ୍କ ସହ ଆଲୋଚନା କରିବାକୁ ଘୋଷଣା କରିସାରିଲେଣି । ଆହୁରି ମଧ୍ୟ ଟ୍ରମ୍ପଙ୍କ ସମର୍ଥକ ଏଲନ ମସ୍କ ମଧ୍ୟ ଏହି ଶାନ୍ତି ଯୋଜନାକୁ ସମର୍ଥନ କରିଛନ୍ତି ।

Advertisment

ଟ୍ରମ୍ପଙ୍କ ଘନିଷ୍ଠ ଲୋକମାନେ କହିଛନ୍ତି ଯେ ଶତ୍ରୁତାକୁ ରୋକିବା ପାଇଁ ରୁଷିଆ ଏବଂ ୟୁକ୍ରେନ୍ ସେନା ମଧ୍ୟରେ ୮୦୦ ମାଇଲ ବଫର ଜୋନ୍ ଲାଗୁ କରିବାକୁ ୟୁରୋପୀୟ ଏବଂ ବ୍ରିଟିଶ ସୈନ୍ୟମାନଙ୍କୁ ଆହ୍ୱାନ ଦେବା ତାଙ୍କ ଯୋଜନାରେ ଅନ୍ତର୍ଭୁକ୍ତ ହୋଇପାରେ। ଏହାର ଅର୍ଥ ହେଉଛି ରୁଷ୍ ୟୁକ୍ରେନରେ ନିଜର ଅଧିକୃତ ଅଞ୍ଚଳ ବଜାୟ ରଖିବ ଏବଂ କିଭ୍ ୨୦ ବର୍ଷ ପାଇଁ ନାଟୋରେ ଯୋଗ ଦେବାର ଯୋଜନାକୁ ବିଦାୟ ଦେଇପାରେ । ଋଷକୁ ଖୁସି କରିବା ପାଇଁ କୌଣସି ଶାନ୍ତି ଚୁକ୍ତି ୟୁରୋପ ପାଇଁ 'ଆତ୍ମହତ୍ୟା' ସଦୃଶ ହେବ ବୋଲି ଜେଲେନସ୍କି ଚେତାବନୀ ଦେବା ପରେ ଏହି ତଥ୍ୟ ସାମ୍ନାକୁ ଆସିଛି। ତେବେ ଟ୍ରମ୍ପ୍ ବିଚାର କରୁଥିବା ଅନେକ ଯୋଜନା ମଧ୍ୟରୁ ଏହା ଅନ୍ୟତମ। ଜାନୁଆରିରେ ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ସେ ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆଲୋଚନା ଆରମ୍ଭ କରିବେ ବୋଲି କହିଛନ୍ତି।