ଜାତୀୟ ନିରାପତ୍ତା ଦୃଷ୍ଟିରୁ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଏଲନ୍‌ ମସ୍କ୍‌ଙ୍କ ସମ୍ପର୍କ ଉପରେ ନଜର ରଖାଯିବା କଥା: ରାଷ୍ଟ୍ରପତି ବାଇଡେନ୍‌

ୱାସିଂଟନ୍‌: ଜାତୀୟ ନିରାପତ୍ତା ଦୃଷ୍ଟିରୁ ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ‘ଟେଲ୍‌ସା’ ଓ ‘ଟୁଇଟର୍‌’ର ମାଲିକ ଏଲନ୍‌ ମସ୍କ୍‌ଙ୍କ ସମ୍ପର୍କ ନଜରରେ ରହିବା ଯୋଗ୍ୟ ବୋଲି ଗୁରୁବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ କହିଛନ୍ତି।

ଜାତୀୟ ନିରାପତ୍ତା ପ୍ରତି ଏଲନ୍‌ ମସ୍କ୍‌ ବିପଦ କି, ବୋଲି ସାମ୍ବାଦିକମାନେ ପଚାରିବାରୁ ରାଷ୍ଟ୍ରପତି ବାଇଡେନ୍‌ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଜଣେ ସାଉଦୀ ଆରବୀୟ ବ୍ୟବସାୟୀଙ୍କ ସହାୟତାରେ ସେ ‘ଟୁଇଟର୍‌’ ଖରିଦ କରିଥିବା ଘଟଣା ଉପରେ ତଦନ୍ତ କରାଯିବ କି, ବୋଲି ମଧ୍ୟ ସାମ୍ବାଦିକମାନେ ପଚାରିଥିଲେ।

ସୂଚନାଯୋଗ୍ୟ, ସାଉଦି ଆରବର ଯୁବରାଜ ଅଲୱାଲୀଦ ବିନ ତଲାଲ୍‌ ଏବଂ କତାର୍‌ର ରାଜାଙ୍କ ଅର୍ଥ ମଧ୍ୟ ଟୁଇଟର୍‌ରେ ବିନିଯୋଗ ହୋଇଛି। ଅର୍ଥାତ୍‌ ସେମାନେ ଟୁଇଟର୍‌ର ସେୟାର୍‌ ହୋଲ୍‌ଡର୍‌ ଅଟନ୍ତି।

Image Courtesy of NDVT

ରାଷ୍ଟ୍ରପତି ବାଇଡେନ୍‌ କହିଲେ, ମୋର ମନେହୁଏ ଯେ, ଅନ୍ୟ ରାଷ୍ଟ୍ରମାନଙ୍କ ସହିତ ଏଲନ୍‌ ମସ୍କ୍‌ଙ୍କ ସହଯୋଗ ଅଥବା ବୈଷୟିକ ସମ୍ପର୍କ ନଜରରେ ରଖାଯିବା ଯୋଗ୍ୟ। ସେ କୌଣସି ଅନୈତିକ କାର୍ଯ୍ୟ କରୁଛନ୍ତି ବୋଲି ମୁଁ କହୁନାହିଁ। ମୋ କହିବା କଥା ହେଲା, ତାଙ୍କର ସମ୍ପର୍କ ଉପରେ ଦୃଷ୍ଟି ରଖାଯିବା ଉଚିତ।

ଗତ ମାସରେ ଗଣମାଧ୍ୟମ ରିପୋର୍ଟ କରିଥିଲେ ଯେ, ୪୪ ବିଲିୟନ୍‌ ଡଲାର୍‌ ବିନିମୟରେ ମସ୍କ୍‌ଙ୍କ ‘ଟୁଇଟର୍‌’ କ୍ରୟ ଘଟଣା ଉପରେ ବାଇଡେନ୍‌ ପ୍ରଶାସନ ଜାତୀୟ ନିରାପତ୍ତା ସମୀକ୍ଷା କରିବ। କାରଣ କେତେକ ପ୍ରମୁଖ ନିବେଶକ ଏହି କ୍ରୟକୁ ସମର୍ଥନ କରୁଥିଲେ।

କିନ୍ତୁ, ଏହା ମିଥ୍ୟା ଖବର ବୋଲି ଗତମାସରେ ହ୍ବାଇଟ୍‌ ହାଉସ୍‌ ସ୍ପଷ୍ଟ କରିଥିଲା।

ସମ୍ବନ୍ଧିତ ଖବର