ଆମେରିକାରେ ଭୋଟ୍‌ ଉତ୍କଣ୍ଠା : ଟ୍ରମ୍ପ୍‌ ନା ବାଇଡେନ୍‌?

ନିର୍ବାଚନ ଫଳାଫଳ ବିଳମ୍ବ ହୋଇପାରେ

ନ୍ୟୁୟର୍କ : ବିଶ୍ୱର ସବୁଠାରୁ ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା ଡୋର କାହା ହାତରେ ରହିବ? ତାହାର ଫଏସଲା କରିବା ପାଇଁ ଆଜି ଆମେରିକାର ଭୋଟର୍‌ ମତଦାନ କରିଛନ୍ତି। କରୋନା ମହାମାରୀ ସଙ୍କଟ ଭିତରେ ମଙ୍ଗଳବାର ଆମେରିକାରେ ୪୬ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟଗ୍ରହଣ ହୋଇଛି। ରିପବ୍ଲିକାନ୍‌ ଦଳ ପ୍ରାର୍ଥୀ ତଥା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ସହିତ ଡେମୋକ୍ରାଟିକ୍‌ ଦଳ ପ୍ରାର୍ଥୀ ତଥା ପୂର୍ବତନ ଉପରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ କଡ଼ା ମୁକାବିଲା ହେଉଛି। ଭାରତୀୟ ସମୟ ଅନୁସାରେ ଆଜି ଅପରାହ୍ନ ୩ଟା ୩୦ (ଆମେରିକା ସମୟ ଅନୁଯାୟୀ ସକାଳ ୬ଟା) ରୁ ମତଦାନ ଆରମ୍ଭ ହୋଇଛି। ବୁଧବାର ସକାଳ ୬ଟା ୩୦ ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ ଜାରି ରହିବ। ଆମେରିକାରେ ପ୍ରାୟ ୫୦ ପ୍ରତିଶତ ଭୋଟର ପୋଷ୍ଟାଲ ଏବଂ ମେଲ ଇନ୍‌ ବ୍ୟାଲଟ ମାଧ୍ୟମରେ ମତଦାନ କରିଛନ୍ତି। କେତେକ ରାଜ୍ୟରେ ୧୦ରୁ ୧୩ ନଭେମ୍ବର ପର୍ଯ୍ୟନ୍ତ ଏଭଳି ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ମିଳିଥିବାରୁ ନିର୍ବାଚନ ପରିଣାମ ଆସିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି।

ଏଥର ଆମେରିକା ନିର୍ବାଚନରେ ବଡ଼ ଧରଣର ବିଦ୍ବେଷ ଦେଖିବାକୁ ମିଳିଛି। ବିଗତ ସତୁରି ଦଶକର ଭିଏତ୍‌ନାମ ଯୁଦ୍ଧ ପରଠାରୁ ଦେଶରେ ଏଭଳି ବିଦ୍ବେଷ କି ବଡ଼ ମତଭେଦ କେବେ ଦେଖାଦେଇନଥିଲା।

ଏପରିକି ଫଳାଫଳରେ ଟ୍ରମ୍ପ୍‌ ବିବାଦ ଛିଡ଼ା କରାଇବାର ଆଶଙ୍କା ହିଁ ସେଭଳି ଉତ୍ତେଜନାକୁ ଖୋରାକ ଯୋଗାଉଛି। ୭୭ ବର୍ଷୀୟ ବାଇଡେନ୍‌ ପ୍ରାୟ ସମସ୍ତ ଜନମତ ସର୍ବେକ୍ଷଣରେ ଆଗୁଆ ରହିଛନ୍ତି। ମହାମାରୀ କୋଭିଡ୍‌-୧୯ ଉପଦ୍ରବ ମଝିରେ ଦେଶ ଜଣେ ନୂତନ ନେତାଙ୍କୁ ପାଇବ ଏବଂ ଆମେରିକାର ଆତ୍ମାର ପୁନରୁଦ୍ଧାର ହେବ ବୋଲି କହି ଆସୁଥିବା ବାଇଡେନ୍‌ଙ୍କ ବାର୍ତ୍ତାରେ ଆମେରିକାବାସୀ ବିଭୋର ହୋଇପଡ଼ିଛନ୍ତି। ଆସନ୍ତାକାଲି ଏକ ବଡ଼ ବିଜୟ ସହ ଆମେ ଏକାଠି ହେବାକୁ ଯାଉଛନ୍ତି ବୋଲି ବାଇଡେନ୍‌ ସୋମବାର ପିଟ୍‌ସବର୍ଗ ଓ ପେନିସିଲଭାନିଆ ପରି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସମର୍ଥକମାନଙ୍କୁ କହିଥିଲେ।

ଅପରପକ୍ଷେ, ଶେଷ ପର୍ଯ୍ୟନ୍ତ ବିଦ୍ରୋହୀ ମନେ ହେଉଥିବା ୭୪ ବର୍ଷୀୟ ଟ୍ରମ୍ପ୍‌ ସୋମବାର ତାଙ୍କର ଶେଷ ନିର୍ବାଚନୀ ପ୍ରଚାରରେ ତାଙ୍କ ବିରୋଧରେ ନିର୍ବାଚନକୁ ହଡ଼ପ କରିନିଆଯିବା ଆଶଙ୍କା ରହିଥିବା ଅଭିଯୋଗ ଆଣି ପୁଣି ବିଜୟ ସୁନିଶ୍ଚିତ ବୋଲି ଦାବି କରିଛନ୍ତି। ଯଦିଓ ଔପଚାରିକ ଭାବେ ଆଜି ଥିଲା ଭୋଟଗ୍ରହଣ ଦିବସ, ତେବେ ପ୍ରକୃତରେ ଆମେରିକୀୟମାନେ ଗତ କିଛି ସପ୍ତାହ ହେଲା ଭୋଟ ଦେଇ ଆସୁଛନ୍ତି। ମହାମାରୀ କୋଭିଡ୍‌ ପାଇଁ ଡାକ ମାଧ୍ୟମରେ ଭୋଟ ପ୍ରକ୍ରିୟାର ସମ୍ପ୍ରସାରଣ କରାଯାଇଥିବା ବେଳେ ପ୍ରାୟ ୧୦ କୋଟି ନାଗରିକ ସେଥିରେ ନିଜର ମତ ସାବ୍ୟସ୍ତ କରିଛନ୍ତି। ପ୍ରାରମ୍ଭିକ ମତଦାନରୁ ବାଇଡେନ୍‌ଙ୍କ ସପକ୍ଷରେ ହାଵା ବହୁଥିବା ଜଣାଯାଇଛି। ଭୋଟ୍‌ ଗଣତି ପ୍ରକ୍ରିୟାରେ ବିଳମ୍ବ ହେଲେ ଦେଶବ୍ୟାପୀ ହିଂସା ବ୍ୟାପିବା ଆଶଙ୍କା କରାଯାଉଛି । ଆଜି ନ୍ୟୁ ହେମ୍ପ୍‌ସାୟର ରାଜ୍ୟରୁ ପ୍ରଥମ ବିଜୟ ମିଳିଛି । ଡିକ୍ସଭେଲି ନାଚ୍‌ ଅଂଚଳରେ ସମସ୍ତ ୫ଟି ଭୋଟ୍‌ ତାଙ୍କ ସପକ୍ଷରେ ଯାଇଛି।

ନିର୍ବାଚନ ଫଳାଫଳକୁ ଗ୍ରହଣ କରିବା ଲାଗି ଅଙ୍ଗୀକାରବଦ୍ଧ ବୋଲି କହିବାକୁ ପୂର୍ବରୁ ଅନେକ ଗଣମାଧ୍ୟମ ସାକ୍ଷାତକାରରେ ରାଷ୍ଟ୍ରପତି ଟ୍ରମ୍ପ୍‌ ମନା କରିଦେଇଛନ୍ତି। ସେହିପରି ତାଙ୍କ ବିରୋଧୀ ଡେମୋକ୍ରାଟ ଦଳ ପକ୍ଷରୁ ଜାଲ୍‌ ଭୋଟର କେଳେଙ୍କାରୀ କରିପାରନ୍ତି ବୋଲି ସେ ଆଶଙ୍କା ବ୍ୟକ୍ତ କରିଛନ୍ତି। ସୁତରାଂ ନିର୍ବାଚନ ଫଳାଫଳରେ ତାଙ୍କ ପରାଜୟକୁ ସେ ଗ୍ରହଣ ନ କରି ଅଦାଲତର ଆଶ୍ରୟ ନେଇପାରନ୍ତି ବୋଲି ଅନୁମାନ କରାଯାଉଛି। ଅପରପକ୍ଷେ, ଟ୍ରମ୍ପ୍‌ଙ୍କ ସମର୍ଥକମାନେ ମତଦାତାମାନଙ୍କୁ ଧମକଚମକ ଦେଇ ମତଦାନରୁ ଦୂରେଇ ରଖିପାରନ୍ତି ବୋଲି ମଧ୍ୟ ଆଗରୁ ବାଇଡେନ୍‌ଙ୍କ ଡୋମୋକ୍ରାଟିକ୍‌ ଦଳ ଆଶଙ୍କା ବ୍ୟକ୍ତ କରିଛି। ତେବେ ନିର୍ବାଚନ ଫଳାଫଳକୁ ସେମାନେ ସାଦରେ ଗ୍ରହଣ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର