ୱାସିଂଟନ: ଆମେରିକାରେ ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭୋଟର୍ମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଡେମୋକ୍ରାଟିକ୍ ପ୍ରାର୍ଥୀ କମଳା ହାରିସ୍ ଏବଂ ତାଙ୍କ ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ଦେଖିବାକୁ ମିଳିଛି। ବିଭିନ୍ନ ସର୍ବେକ୍ଷଣରେ ଏଥର ନିର୍ବାଚନ ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରାଯାଇଛି। ରାଷ୍ଟ୍ରପତି ନିର୍ବାଚନର ଭାଗ୍ୟ ନିର୍ଦ୍ଧାରଣ କରୁଥିବା ୭ଟି ‘ସ୍ବିଙ୍ଗ୍ ଷ୍ଟେଟ୍’ (ଉଭୟ ଦଳ ପ୍ରତି ପ୍ରାୟ ସମାନ ସମର୍ଥନ ଥିବା ରାଜ୍ୟ) ଉପରେ ସମସ୍ତଙ୍କ ନଜର ରହିଛି। ଆମେରିକା-କାନାଡା ସୀମାରେ ଥିବା ଏକ ଛୋଟ ସହର ନ୍ୟୁ ହାମ୍ପସାୟାର ଟାଉନ୍ସିପରେ ପ୍ରଥମ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ଏବଂ ସମଗ୍ର ଦେଶରେ ଭୋଟ୍ ଗ୍ରହଣ ପ୍ରକ୍ରିୟା ବୁଧବାର ପୂର୍ବାହ୍ନ ୧୦ଟା ୩୦ (ଭାରତୀୟ ସମୟ)ରେ ଶେଷ ହେବ।
ପ୍ରଚାରର ଅନ୍ତିମ ଦିନରେ ଟ୍ରମ୍ପ ଓ ହାରିସ ସେମାନଙ୍କ ଉଦ୍ଯାପନୀ ଭାଷଣ ଦେଇଥିଲେ। କ୍ଷମତାକୁ ଫେରିବାକୁ ଚାହୁଁଥିବା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଉତ୍ତର କାରୋଲିନା, ପେନ୍ସିଲଭାନିଆ ଓ ମିଚିଗାନରେ ରାଲି କରିଥିବା ବେଳେ ହାରିସ ପେନ୍ସିଲଭାନିଆର ଫିଲାଡେଲଫିଆ ଓ ପିଟସବର୍ଗରେ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ଶେଷ ରାଲିରେ ଯୁକ୍ତି ବାଢ଼ିଥିଲେ ଯେ ତାଙ୍କ ପ୍ରକୃତ ପ୍ରତିଦ୍ୱନ୍ଦ୍ୱୀ କମଳା ହାରିସ୍ ନୁହଁନ୍ତି ବରଂ ଏକ ଖଳ ପ୍ରକୃତିର ‘ଡେମୋକ୍ରାଟ୍’ ବ୍ୟବସ୍ଥା। ତେବେ ହାରିସ ଟ୍ରମ୍ପଙ୍କ ବିଷୟରେ ଉଲ୍ଲେଖ କରିନଥିଲେ ମଧ୍ୟ ଭୟ ଓ ବିଭାଜନ ଦ୍ୱାରା ପରିଚାଳିତ ଏକ ଦଶନ୍ଧିର ରାଜନୀତିର ପୂର୍ଣ୍ଣଛେଦ ପକାଇବାକୁ ଭୋଟର୍ମାନଙ୍କୁ ଆହ୍ବାନ ଦେଇଥିଲେ। ଫ୍ଲୋରିଡା ୟୁନିଭର୍ସିଟିର ଇଲେକ୍ସନ ଲ୍ୟାବ୍ ରିପୋର୍ଟ ଅନୁଯାୟୀ ଆଗୁଆ ମତଦାନ ସୁବିଧା ଏବଂ ଇ-ମେଲ୍ ଦ୍ବାରା ପ୍ରାୟ ୮୦ ନିୟୁତରୁ ଅଧିକ ଆମେରିକୀୟ ମତଦାନ କରିସାରିଲେଣି।
୮୦ ନିୟୁତ ଭୋଟର୍ଙ୍କ ଆଗୁଆ ମତଦାନ
ଆମେରିକାରେ ଅଧିକାଂଶ ରାଜ୍ୟରେ ରିପବ୍ଲିକାନ୍ କିମ୍ବା ଡେମୋକ୍ରାଟିକ୍ ପ୍ରାର୍ଥୀଙ୍କ ପ୍ରତି ପ୍ରାୟ ସମାନ ସମର୍ଥନ ରହିଥିବା ଦେଖିବାକୁ ମିଳିଛି। ପ୍ରମୁଖ ସ୍ବିଙ୍ଗ୍ ଷ୍ଟେଟ୍- ମିଚିଗାନ୍, ପେନ୍ସିଲ୍ଭାନିଆ, ୱିସ୍କିନ୍ସିନ୍, ଆରିଜୋନା, ଜର୍ଜିଆ, ନେଭାଡା ଏବଂ ନର୍ଥ କାରୋଲିନାର ଫଳାଫଳ ହିଁ ଉଭୟ ପ୍ରାର୍ଥୀଙ୍କ ବିଜୟ ପାଇଁ ନିର୍ଣ୍ଣାୟକ ହେବ। ରାଷ୍ଟ୍ରପତି ପଦ ଜିତିବା ପାଇଁ ଆବଶ୍ୟକ ୨୭୦ ଇଲେକ୍ଟୋରାଲ ଭୋଟ୍ ହାସଲ କରିବାକୁ ଲକ୍ଷ୍ୟ ରଖିଥିବା ପ୍ରାର୍ଥୀଙ୍କ ପାଇଁ ଏ ସବୁ ରାଜ୍ୟରେ ବିଜୟ ଜରୁରୀ ବୋଲି କୁହାଯାଉଛି। ଅନ୍ୟ କୌଣସି ରାଜ୍ୟ ତୁଳନାରେ ସର୍ବାଧିକ ଇଲେକ୍ଟୋରାଲ ଭୋଟ୍ (୧୯) ପେନ୍ସିଲ୍ଭାନିଆରେ ରହିଛି ଏବଂ ଏଠାରେ ବିଜୟ ହିଁ ପ୍ରାର୍ଥୀଙ୍କ ହ୍ବାଇଟ୍ ହାଉସ୍ ରାସ୍ତାକୁ ସୁଗମ କରିଦେବ। ଡୋନାଲ୍ଡ ଟ୍ରମ୍ପ ତାଙ୍କ ପ୍ରଥମ ରାଷ୍ଟ୍ରପତି ନିର୍ବାଚନରେ ମିଚିଗାନ୍, ପେନ୍ସିଲ୍ଭାନିଆ ଓ ୱିସ୍କିନ୍ସନରେ ସଫଳତା ପାଇଥିଲେ, ତେବେ ୨୦୨୦ରେ ଏହି ରାଜ୍ୟଗୁଡ଼ିକୁ ଡେମୋକ୍ରାଟିକ୍ ଦଳ ନିଜ ଦଖଲକୁ ନେବାରେ ସକ୍ଷମ ହୋଇଥିଲା।
ସୂଚନାଯୋଗ୍ୟ, ଇଲେକ୍ଟୋରାଲ କଲେଜ ହେଉଛି ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଚୟନ ପାଇଁ ଆମେରିକାରେ ବ୍ୟବହୃତ ଗଣତାନ୍ତ୍ରିକ ବ୍ୟବସ୍ଥା। ସିଧାସଳଖ ଲୋକପ୍ରିୟ ଭୋଟ୍ ପରିବର୍ତ୍ତେ କଂଗ୍ରେସରେ ଏହାର ପ୍ରତିନିଧିତ୍ୱ (ସମୁଦାୟ ସିନେଟର ଏବଂ ପ୍ରତିନିଧି ସଭା ସଦସ୍ୟଙ୍କ ସଂଖ୍ୟା) ଆଧାରରେ ପ୍ରତ୍ୟେକ ରାଜ୍ୟକୁ ଏକ ନିର୍ଦ୍ଦିଷ୍ଟ ସଂଖ୍ୟକ ‘ଇଲେକ୍ଟୋରାଲ୍ ଭୋଟ୍’ ପ୍ରଦାନ କରାଯାଏ। ପ୍ରତ୍ୟେକ ରାଜ୍ୟରେ ଉଭୟ ସଦନର ସମାନ ମତଦାତା ଅଛନ୍ତି। ୱାସିଂଟନ ଡିସିର ୩ ଜଣଙ୍କୁ ମିଶାଇ ମୋଟ ୫୩୮ ଜଣ ଇଲେକ୍ଟୋରାଲ ଭୋଟର୍ ଅଛନ୍ତି। ରାଷ୍ଟ୍ରପତି ପଦ ଜିତିବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୩୮ରୁ ୨୭୦ ଭୋଟ୍ ଦରକାର।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/06/YdQHGLCctLiVR5xMn79I.jpg)