ୱାସିଂଟନ୍: ଆମେରିକାର ରାଷ୍ଟ୍ରପତି ୮୦ ବର୍ଷିୟ ଜୋ ବାଇଡେନ୍ ସୁସ୍ଥ ଓ କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ସମର୍ଥ ବୋଲି ଶାରୀରିକ ପରୀକ୍ଷା ପରେ ଗୁରୁବାର ଦିନ ଡାକ୍ତରମାନେ ଘୋଷଣା କରିଛନ୍ତି।
ବାଇଡେନ୍ଙ୍କ ଛାତିରେ ବାହାରିଥିବା ଗୋଟାଏ ଭାତୁଡ଼ି ଭଳି ଚର୍ମବୃଦ୍ଧିକୁ ଅସ୍ତ୍ରୋପଚାରଦ୍ବାରା ବାହାର କରିଦେବା ପରେ ଡାକ୍ତରମାନେ କହିଛନ୍ତି କି, ତାଙ୍କଠାରେ କୋଭିଡ୍ ପରବର୍ତ୍ତୀ କୌଣସି ଲକ୍ଷଣ ମଧ୍ୟ ନାହିଁ।
ସୂଚନାଯୋଗ୍ୟ, ଗତବର୍ଷ ଜୋ ବାଇଡେନ୍ କୋଭିଡ୍ ଆକ୍ରାନ୍ତ ହୋଇଥିଲେ।
ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ ପରୀକ୍ଷା ସଂକ୍ରାନ୍ତରେ ସୂଚନା ଦେଇ ହ୍ବାଇଟ୍ ହାଉସ୍ ଡାକ୍ତର କେବିନ୍ ଓ’କର୍ଣ୍ଣର୍ କହିଛନ୍ତି, କର୍ତ୍ତବ୍ୟ ସମ୍ପାଦନ ନିମନ୍ତେ ରାଷ୍ଟ୍ରପତି ସମର୍ଥ ଅଛନ୍ତି ଏବଂ କୌଣସି ଖିଲାପ କିଂବା କୌଣସି ପ୍ରକାର ସାଲିସ ନ କରି ସେ ତାଙ୍କର ଦାୟିତ୍ବ ନିର୍ବାହ କରୁଛନ୍ତି।
୨୦୨୪ରେ ଦ୍ବିତୀୟ ପାଳି ରାଷ୍ଟ୍ରପତି ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଆଗ୍ରହୀ ଥିବାରୁ ବାଇଡେନ୍ଙ୍କ ସ୍ବାସ୍ଥ୍ୟ ପରୀକ୍ଷା ଫଳାଫଳ ଉପରେ ସମସ୍ତଙ୍କ ଦୃଷ୍ଟି ଥିଲା। ଡାକ୍ତରମାନେ ଦେଇଥିବା ରିପୋର୍ଟ ଅନୁସାରେ, ବାଇଡେନ୍ଙ୍କଠାରେ କୋଭିଡ୍ଦ୍ବାରା ଆକ୍ରାନ୍ତ ହେବାର ଦୀର୍ଘ ଦିନ ପରେ ଦେଖା ଦେଉଥିବା ଲକ୍ଷଣ ସବୁ ନାହିଁ। କିଂବା, ୨୦୨୧ ନଭେମ୍ବର ମାସରେ କରାଯାଇଥିବା ସ୍ବାସ୍ଥ୍ୟ ପରୀକ୍ଷା ରିପୋର୍ଟରେ ତାଙ୍କର ସ୍ବାସ୍ଥ୍ୟାବସ୍ଥା ଯାହା ଥିଲା, ତା’ଠାରୁ ବିଶେଷ କିଛି ଖରାପ ହୋଇନାହିଁ।
‘ବିବିସି ନ୍ୟୁଜ୍’କୁ ବାଇଡେନ୍ କହିଛନ୍ତି ଯେ, ତାଙ୍କ ଶାରୀରିକ ପରୀକ୍ଷା ଫଳାଫଳ ଭଲ ଆସିଛି। ଯା’ହେଉ ସବୁ ଠିକ୍ଠାକ୍ ଅଛି।
ସୂଚନାଯୋଗ୍ୟ, ସ୍ବାସ୍ଥ୍ୟ ପରୀକ୍ଷା ନିମନ୍ତେ ବାଇଡେନ୍ ୱାସିଂଟନ୍ର ଉପନଗରୀ ମେରିଲାଣ୍ଡ୍ ଅନ୍ତର୍ଗତ ବେଥେଜ୍ଡାସ୍ଥିତ ‘ୱାଲ୍ଟର୍ ରିଡ୍ ନ୍ୟାସ୍ନାଲ୍ ମିଲିଟାରି ମେଡିକାଲ୍ ସେଣ୍ଟର୍’ରେ ୩ ଘଣ୍ଟା ରହିଥିଲେ। ୨୦୨୧ ଜାନୁଆରିରେ ରାଷ୍ଟ୍ରପତି ହେବା ପରଠାରୁ ଏହା ଥିଲା ସେଠାରେ ତାଙ୍କର ଦ୍ବିତୀୟ ଶାରୀରିକ ପରୀକ୍ଷା।