‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କରୋନା ଟିକାର ବ୍ୟବହାର ଉପରେ ରୋକ ଲଗାଇଲା ଆମେରିକା, ଟିକା ନେବା ପରେ ରକ୍ତଜମାଟ ବାନ୍ଧୁଛି

ୱାଶିଂଟନ: ଆମେରିକାରରେ ‘ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍‌’ କରୋନା‌ ଟିକାର ବ୍ୟବହାର ଉପରେ ରୋକ ଲଗାଇଛନ୍ତି ସରକାର। ଏହି ଟିକା ନେଇ ୬ ଜଣ ଲୋକଙ୍କ ମଧ୍ୟରେ ରକ୍ତ ଜମାଟ ବାନ୍ଧିବା ପରି ଗୁରୁତର ଶାରୀରିକ ସମସ୍ୟା ଦେଖାଦେବା ପରେ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି।

ଆମେରିକାର ଔଷଧ ନିୟନ୍ତ୍ରକ ସଂସ୍ଥା‌ ଫୁଡ୍‌ ଆଣ୍ଡ୍‌ ଡ୍ରଗ୍‌ ଆଡ୍‌ମିନ୍‌ଷ୍ଟ୍ରେସନ୍‌ ପକ୍ଷରୁ ଏକ ଟ୍ବିଟ୍‌ ଯୋଗେ କୁହାଯାଇଛି ଯେ ‘ଆଜି ଏଫ୍‌ଡିଏ ଏବଂ ସିଡିସି(ସେଣ୍ଟ୍ରର ଫର୍‌ ଡିଜିଜ୍‌ କଣ୍ଟ୍ରୋଲ୍‌‌)‌ ପକ୍ଷରୁ ଜନ୍‌ସନ୍‌ ଆଣ୍ଡ୍‌ ଜନ୍‌ସନ୍ କରୋନା ଟିକା ଉପରେ ଏକ ବିବୃତି ଜାରି କରାଯାଇଛି। ସୁରକ୍ଷା ଦୃଷ୍ଟିରୁ ଏହି ଟିକାର ବ୍ୟବହାର ଉପରେ ରୋକ ଲଗାଇବାକୁ ଆମେ ସୁପାରିସ କରିଛୁ।’

ଟିକା ନେବା ପରେ ହିତାଧିକାରୀଙ୍କ ଶରୀରରେ ଯେଉଁ ଭଳି ଭାବେ ରକ୍ତ ଜମାଟ ବାନ୍ଧୁଛି ତାହା ନିଶ୍ଚୟ ଚିନ୍ତାର କାରଣ, କାରଣ ଏହି ବିଲକ୍ଷଣର ଚିକିତ୍ସା ସାଧାରଣ ଚିକିତ୍ସାରୁ ଭିନ୍ନ। ଏହି ଘଟଣାକୁ ନେଇ ଦେଶର ଚିକିତ୍ସା ଅନୁସନ୍ଧାନ ସଂସ୍ଥା, ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର ସମୀକ୍ଷା କରବେ ବୋଲି ଏଫ୍‌ଡିଏ ପକ୍ଷରୁ କୁହାଯାଇଛି। ଇତିମଧ୍ୟରେ ଆମେରିକାରେ ଜନସନ୍ ଆଣ୍ଡ ଜନସନ୍ ଟିକା ୬.୮ ମିଲିୟନ୍ ଲୋକଙ୍କୁ ଦିଆସରିଛି।

ଏହାପୂର୍ବରୁ ରକ୍ତ ଜମାଟ ବାନ୍ଧିବା ଭଳି ମାମଲାରେ କିଛି ୟୁରୋପୀୟ ଦେଶ ଏଷ୍ଟ୍ରାଜେନିକା କୋଭିଡ ଟିକା ଉପରେ ଅସ୍ଥାୟୀ ପ୍ରତିବନ୍ଧକ ଲଗାଇଥିଲେ । ଏହି ଦେଶମାନଙ୍କ ମଧ୍ୟରେ ଜର୍ମାନୀ, ଇଟାଲି, ଫ୍ରାନସ୍ ଭଳି ଦେଶ ଥିଲେ । କେବଳ ୟୁରୋପୀୟ ଦେଶମାନେ ନୁହେଁ ,ଏସିଆ ମହାଦେଶର ଇଣ୍ଡୋନେସିଆ ବି ଏହି ଟିକା ଉପରେ ପ୍ରତିବନ୍ଧକ ଲଗାଇଥିଲା । ସୂଚନା ଥାଉକି ବିଶ୍ୱରେ ଏ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା କୋଭିଡ ଟିକା ମଧ୍ୟରେ ଏଷ୍ଟ୍ରାଜେନିକା ସବୁଠାରୁ ଶସ୍ତା।

ସମ୍ବନ୍ଧିତ ଖବର