ୱାସିଂଟନ: ଆମେରିକା ବିଦେଶ ମନ୍ତ୍ରାଳୟ ପକ୍ଷରୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଠାରୁ ଆରମ୍ଭ କରି ଆମେରିକା ନେତାମାନଙ୍କୁ ଭାରତ ପକ୍ଷରୁ ଦିଆଯାଇଥିବା ଉପହାରର ସୂଚୀ ଜାରି କରାଯାଇଛି। ମନ୍ତ୍ରାଳୟ ପକ୍ଷରୁ ଜାରି ତାଲିକାରେ ଉଭୟ ଭୌତିକ ଉପହାର ସହିତ ଯାତ୍ରା ଉପହାର କିମ୍ବା ଯାତ୍ରା ବ୍ୟୟ ରହିଛି। ୨୦୨୪ ସୁଦ୍ଧା ଏହି ଉପହାର ପ୍ରଦାନ କରାଯାଇଥିବାବେଳେ ଏସବୁ ଉପହାର ମଧ୍ୟରେ ସବୁଠୁ କମ୍‌ ମୂଲ୍ୟ ୪୮୦ ଡଲାର ରହିଥିଲା। ଆମେରିକାର ଅଫିସ ଅଫ୍‌ ଚିଫ୍‌ ଅଫ୍‌ ପ୍ରୋଟୋକଲ ଅନ୍ୟ ଦେଶର ସରକାରଙ୍କ ପକ୍ଷରୁ ମିଳିଥିବା ଉପହାରର ତାଲିକା ପ୍ରକାଶ କରିଥାଏ। 

Advertisment

ଭାରତ ପକ୍ଷରୁ ଦିଆଯାଇଥିବା ଉପହାର ମଧ୍ୟରେ ସେପ୍ଟେମ୍ବର ୨୦୨୩ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ବାଇଡେନଙ୍କୁ ଦିଆଯାଇଥିବା କାଠ ସିନ୍ଦୁକ, ସ୍କାର୍ଫ, ଜାର୍‌ରେ ଥିବା ସାଫ୍ରନ୍, ଚା’ ପତି ରଖିବାକୁ ଏକ କାଠ ବାକ୍ସ ରହିଛି। ଏସବୁ ସାମଗ୍ରୀର ମୂଲ୍ୟ ୫୬୨ ଡଲାର ହୋଇଥିବା ଆକଳନ କରାଯାଇଛି। ୨୦୨୪ ମସିହା ଜୁଲାଇ ୧୬ ତାରିଖରେ ମୋଦୀ ବାଇଡେନଙ୍କୁ ଏକ ରୁପାର ଟ୍ରେନ୍ ସେଟ୍‌ ପ୍ରଦାନ କରିଥିଲେ, ଯାହାର ଆନୁମାନିକ ମୂଲ୍ୟ ୭୭୫୦ ଡଲାର ହେବ। ଅକ୍ଟୋବର ୨୧, ୨୦୨୪ରେ ମୋଦୀ ଆମେରିକାର ତତ୍କାଳୀନ ପ୍ରଥମ ମହିଳା ଜିଲ୍ ବାଇଡେନଙ୍କୁ ଏକ ପସମିନା ସଲ୍‌ ଉପହାର ସ୍ବରୂପେ ପ୍ରଦାନ କରିଥିଲେ। ଯାହାର ଆନୁମାନିକ ମୂଲ୍ୟ ୨୯୬୯ ଡଲାର ଥିଲା। ଏହାବ୍ୟତୀତ କମଳା ହାରିସ୍‌ଙ୍କୁ ମୋଦୀ ୨୦୨୪ରେ ପ୍ରଦାନ କରିଥିବା କୃଷ୍ଣ ରାସଲୀଳା ଖୋଦିତ ରୂପା ବାକ୍ସ ରହିଛି,ଆନୁମାନିକ ମୂଲ୍ୟ ୧,୩୩୦ ଡଲାର ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଦ୍ବାରା ଆମେରିକାର ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଲଏଡ୍ ଅଷ୍ଟିନଙ୍କୁ ଶିବ ନଟରାଜଙ୍କ କାଂସ୍ୟ ପ୍ରତିମୂର୍ତ୍ତି ପ୍ରଦାନ କରିଥିଲେ, ଯାହାର ମୂଲ୍ୟ ୩,୭୦୦ ଡଲାର ରହିଥିଲା।