୨୦ବର୍ଷ ପରେ ପୁଣିଥରେ ଆମେରିକାରେ ‘ମଙ୍କିପକ୍ସ’ ଭୂତାଣୁ ଚିହ୍ନଟ, କରୋନା ଭଳି ନିଶ୍ୱାସରେ ଶରୀରକୁ କରିଥାଏ ପ୍ରବେଶ

ନୂଆଦିଲ୍ଲୀ: ପ୍ରାୟ ଦୁଇ ଦଶନ୍ଧି ପରେ ପ୍ରଥମ ଥର ପାଇଁ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି | ଏହି ଭୂତାଣୁ ଏତେ ପ୍ରଭାବୀ ହୋଇନଥିଲେ ମଧ୍ୟ ଏହା ଜଣଙ୍କଠାରୁ ଆଉ ଜଣଙ୍କୁ ବ୍ୟାପିବାର ଆଶଙ୍କା ରହିଛି | ସାରା ବିଶ୍ୱ ଏବେ କରୋନା ଭଳି ଭୂତାଣୁ ସହ ଲଢ଼ୁଥିବା ବେଳେ ‘ମଙ୍କିପକ୍ସ’କୁ ନେଇ ଏବେ ଲୋକଙ୍କ ଚିନ୍ତା ବଢିଛି | ‘ମଙ୍କିପକ୍ସ’ ଦ୍ୱାରା ଆକ୍ରାନ୍ତ ହୋଇଥିବା ରୋଗୀ ଜଣେ ଆମେରିକୀୟ ବାସିନ୍ଦା, ଯିଏ କିଛି ଦିନ ପୂର୍ବରୁ ନାଇଜେରିଆରୁ ଫେରିଥିଲେ।

ଏବେ ନାଇଜେରିଆରୁ ଟେକ୍ସାସ ଆସିବା ବାଟରେ ତାଙ୍କ ସଂସ୍ପର୍ଶରେ କିଏ କିଏ ଆସିଛନ୍ତି, ସେ ନେଇ ସନ୍ଧାନ ଆରମ୍ଭ ହୋଇଛି | କରୋନା ଭୂତାଣୁ ଭଳି ‘ମଙ୍କିପକ୍ସ’ ଭୂତାଣୁ ମଧ୍ୟ ନିଶ୍ୱାସ ମାଧ୍ୟମରେ ଶରୀରକୁ ଯିବାର ଆଶଙ୍କା ରହିଛି | ହେଲେ କରୋନା ପାଇଁ ସମସ୍ତେ ବିମାନରେ ମାସ୍କ ପିନ୍ଧିଥିବାରୁ ‘ମଙ୍କିପକ୍ସ’ ଭୂତାଣୁ କାହା ଶରୀରକୁ ପ୍ରବେଶ କରିପାରିନଥିବ ବୋଲି ଆସ କରୁଛନ୍ତି ରୋଗ ନିୟନ୍ତ୍ରଣ ଏବଂ ପ୍ରତିରୋଧ କେନ୍ଦ୍ର (ସିଡିସି) |

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (‘ହୁ’) ଅନୁଯାୟୀ ‘ମଙ୍କିପକ୍ସ’ ଏକ ବିରଳ ରୋଗ, ଯାହା ମଧ୍ୟ ଏବଂ ପଶ୍ଚିମ ଆଫ୍ରିକାର ଦୁର୍ଗମ ଅଞ୍ଚଳରେ ଦେଖାଯାଏ। ଏହି ଭୂତାଣୁ ପଶୁମାନଙ୍କ ଶରୀରରେ ବାସ କରନ୍ତି | କିନ୍ତୁ ଏହା ବେଳେବେଳେ ପଶୁମାନଙ୍କଠାରୁ ମଣିଷଙ୍କ ଶରୀରକୁ ଆସିଯାଇଥାଏ | ଏହା ପୂର୍ବରୁ ୨୦୦୩ରେ ଆମେରିକାରେ ‘ମଙ୍କିପକ୍ସ’ ଦ୍ୱାରା ୪୭ଜଣ ଆକ୍ରାନ୍ତ ହୋଇଥିଲେ |

ସମ୍ବନ୍ଧିତ ଖବର