ଉତ୍ତରକୋରିଆକୁ ତୈଳ ଯୋଗାଣ ହ୍ରାସ କରିବାକୁ ଚୀନକୁ ଅନୁରୋଧ କଲା ଆମେରିକା

ଓ୍ଵାସିଂଟନ୍‌: ଆମେରିକା ସମେତ ସମଗ୍ର ବିଶ୍ୱକୁ ଚାଲେଞ୍ଜ ଦେଇ ଗୋଟିଏ ପରେ ଗୋଟିଏ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍‌ ମିସାଇଲ ପରୀକ୍ଷଣ କରୁଥିବା ଉତ୍ତର କୋରିଆ ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜେଇ ଦେଇଛନ୍ତି। ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗକୁ ବିଶ୍ୱ ସମୁଦୟରେ ଏକଘରକିଆ କରିବା ପାଇର୍ଁ ଅଣ୍ଟା ଭିଡିଛି ଆମେରିକା। ଏଥିପାଇଁ ଆମେରିକା ଚୀନ୍‌ର ସହଯୋଗ ଲୋଡିଛି। ଆମେରିକା ପକ୍ଷରୁ ଉତ୍ତର କୋରିଆକୁ ତୈଳଯୋଗାଣ କାଣ୍ଟଛାଣ୍ଟ କରିବା ପାଇଁ ଚୀନକୁ ଅନୁରୋଧ କରାଯାଇଛି। ଗୁରୁବାର ଦିନ ଆମେରିକା ପକ୍ଷରୁ ସମଗ୍ର ବିଶ୍ୱକୁ ଅନୁରୋଧ କରି କୁହାଯାଇଛି କିମ୍‌ ଜୋଙ୍ଗଙ୍କୂ ଏକଘରିକିଆ କରିବା ପାଇଁ ଉତ୍ତରକୋରିଆକୁ ଅଣବିଶୋଧିତ ତୈଳ ଯୋଗାଣ ହ୍ରାସ କରିବା ସହିତ ସମଗ୍ର ବିଶ୍ୱ ଉତ୍ତର କୋରିଆ ସହିତ କୁଟନୈତିକ ଓ ବାଣିଜ୍ୟିକ ସମ୍ପର୍କ ଛିନ୍ନ କରିବାକୁ ଆମେରିକା ଅନୁରୋଧ କରିଛି।
ଆମେରିକା ରାଷ୍ଟ୍ରଦୂତ ନିକ୍କି ହାଲି କହିଛନ୍ତି ଯେ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରି ବୈଠକ ଡକାଯାଇ କିମ୍ବ ଜୋଙ୍ଗଙ୍କୁ ଏକଘରକିଆ କରିବା ପାଇଁ ପ୍ରସ୍ତାବ ଗ୍ରହଣ କରାଯିିବା ଉଚିତ। ତେବେ ଆଜି ସକାଳେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ ରାଷ୍ଟ୍ରପତି ଜି ଜିନପିଙ୍ଗଙ୍କୁ ଟେଲିଫୋନ୍‌୍‍ କରି ଉତ୍ତରକୋରିଆକୁ ତୈଳ ଯୋଗାଣ ହ୍ରାସ କରିବାକୁ ଅନୁରୋଧ କରିଛନ୍ତି। ଏହା ଫଳରେ ଉତ୍ତର କୋରିଆର ଆର୍ଥିକ ବ୍ୟବସ୍ଥା ଗୁରୁତର ଭାବେ ପ୍ରଭାବିତ ହେବ ଓ ଉତ୍ତର କୋରିଆ ବିଶ୍ୱ ସମୁଦାୟକୁ ସମ୍ମାନ ଦେବ ବୋଲି ଟ୍ରମ୍ପ ଜି ଜିନପିଙ୍ଗଙ୍କୁ କହିଛନ୍ତି।
ହାଲି ଆହୁରି ମଧ୍ୟ କହିଛନ୍ତି ଯେ ସମଗ୍ର ବିଶ୍ୱ ଉତ୍ତରକୋରିଆ ଠାରୁ ସମ୍ପର୍କ କାଟି ଦେବା ଉଚିତ। ଉତ୍ତରକୋରିଆକୁ ମିଳିତ ଜାତିସଂଘରେ ଭୋଟ୍‌ ଦେବା ଅଧିକାରରୁ ବଞ୍ଚିତ କରିବାକୁ ପଡ଼ିବ। ତେବେ ମିଳିତ ଜାତିସଂଘର ସୁରକ୍ଷା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆମେରିକା, ଜାପାନ ଓ ଦକ୍ଷିଣ କୋରିଆର ଅନୁରୋଧ ଫଳରେ ନିକଟରେ ବସିବାକୁ ଯାଉଛି। ଏଥିରେ ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ବିରୋଧରେ କଣ ପରବତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ସେ ନେଇ ଆଲୋଚନା କରାଯିବ। ଉତ୍ତରକୋରିଆର ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ୍‌୍‌ ମିସାଇଲ ପରୀକ୍ଷଣ ଯୁଦ୍ଧ ପରିସ୍ଥିତି ସୃଷ୍ଟି କରିଛି। ଆଉ ଯଦି ଯୁଦ୍ଧ ହୁଏ , ତେବେ ଉତ୍ତରକୋରିଆର ଅସ୍ତିତ୍ୱ ସଙ୍କଟ ଦେଖାଦେବ ବୋଲି ହାଲି କହିଛନ୍ତି।
ସୂଚନାଯୋଗ୍ୟ ଯେ ଦୁଇ ଦିନ ତଳେ ଉତ୍ତରକୋରିଆ ତାର ତୃତୀୟ ଆଇସିବିଏମ ପରୀକ୍ଷଣ କରି ପୃଥିବୀର ଯେ କୌଣସି ଦେଶକୁ ଲକ୍ଷ୍ୟଭେଦ କରିପାରିବ ବୋଲି ଘୋଷଣା କରିଛି।

ସମ୍ବନ୍ଧିତ ଖବର