ନ୍ୟୁଜର୍ସି: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆମେରିକା ଗସ୍ତ (ଷ୍ଟେଟ୍‌ ଭିଜିଟ୍‌) ଅବସରରେ ତାଙ୍କ ସମ୍ମାନାର୍ଥେ ନ୍ୟୁଜର୍ସିସ୍ଥିତ ଏକ ରେସ୍ତୋରାଁ ବିଶେଷ ଭୋଜନ ଥାଳିର ଶୁଭାରମ୍ଭ କରିବ ବୋଲି ସମ୍ବାଦ ସରବରାହ ସଂସ୍ଥାନ ‘ଏଏନ୍‌ଆଇ’ ରିପୋର୍ଟ କରିଛି।

Advertisment

‘ସେଫ୍‌’ ବା ରୋଷେୟା ଶ୍ରୀପଦ କୁଲକର୍ଣ୍ଣିଙ୍କ ଦ୍ବାରା ପ୍ରସ୍ତୁତ ‘ମୋଦୀଜୀ ଥାଳି’ ନାମକ ଏହି ଭୋଜନରେ ରହିଛି ଖିଚିଡ଼ି, ରସଗୋଲା, ସୋରିଷ ଶାଗ, କଶ୍ମୀରୀ ଆଳୁଦମ୍‌, ଘୋଳଦହି ଏବଂ ପାମ୍ପଡ଼ ଭଳି ଆହୁରି ଅନେକ ବ୍ୟଞ୍ଜନ।

‘ଏଏନ୍‌ଆଇ’ ସେୟାର୍‌ କରିଥିବା ଭିଡିଓରେ କୁଲ୍‌କର୍ଣ୍ଣି ଏହି ରଙ୍ଗିନ ବ୍ୟଞ୍ଜନଭରା ଥାଳି ଦେଖାଇବା ସହିତ ସେ ବିଷୟରେ ଅଧିକ ସୂଚନା ଦେଉଛନ୍ତି। ଖୁବ୍‌ ଶୀଘ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କରଙ୍କ ନାମାନୁସାରେ ଆଉ ଏକ ଭୋଜନ ଥାଳି ପରିବେଷଣ କରାଯିବ ବୋଲି ମଧ୍ୟ ରେସ୍ତୋରାଁ ମାଲିକ ଯୋଜନା କରୁଥିବା ଜଣାପଡ଼ିଛି।

publive-image Image Courtesy of NDTV

କୁଲ୍‌କର୍ଣ୍ଣି କହିଛନ୍ତି, ଖୁବ୍‌ ଶୀଘ୍ର ଆମେ ‘ମୋଦୀଜୀ ଥାଳି’ର ଶୁଭାରମ୍ଭ କରିବୁ। ତାହା ଲୋକପ୍ରିୟ ହେବ ବୋଲି ମୋର ବିଶ୍ବାସ।  ଏ ଥାଳିଟି ଭଲ ଚାଲିଲେ, ‘ଡକ୍ଟର୍‌ ଜୟଶଙ୍କର ଥାଳି’ର ଶୁଭାରମ୍ଭ କରିବା ପାଇଁ ଯୋଜନା କରିଛୁ। କାରଣ, ଆମେରିକୀୟ-ଭାରତୀୟଙ୍କ ମଧ୍ୟରେ ସେ ମଧ୍ୟ ପ୍ରିୟଭାଜନ ହୋଇପାରିଛନ୍ତି।

ଏହାଛଡ଼ା, ଏହି ଥାଳି ହେଉଛି, ଜାତିସଂଘ ଘୋଷଣା କରିଥିବା ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ପ୍ରତି ଶ୍ରଦ୍ଧାଞ୍ଜଳି ମଧ୍ୟ। ଏଥିରେ କୁଲ୍‌କର୍ଣ୍ଣି ମାଣ୍ଡିଆ ବ୍ୟବହାର କରିଛନ୍ତି। ୨୦୧୯ରେ ଭାରତ ସରକାରଙ୍କ ସୁପାରିସକ୍ରମେ ଜାତିସଂଘ ୨୦୨୩କୁ ‘ଆନ୍ତର୍ଜାତିକ ମାଣ୍ଡିଆ ବର୍ଷ’ ବୋଲି ଘୋଷଣା କରିଛି।

ଉଲ୍ଲେଖଯୋଗ୍ୟ, ଆମେରିକାକୁ ପ୍ରଥମ ‘ଷ୍ଟେଟ୍‌ ଭିଜିଟ୍‌’ରେ ଯାଉଥିବା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଜୁନ୍‌ ୨୨ ତାରିଖ ଦିନ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌‌ ଲେଡି’ ଜିଲ୍‌ ବାଇଡେନ୍‌ ‘ନୈଶ୍ୟଭୋଜି’  ବା ରାତ୍ରଭୋଜନରେ ଆପ୍ୟାୟନ କରିବେ।