ସାଇବର ଆକ୍ରମଣ ଖବରକୁ ଅସ୍ବୀକାର କଲା ଆମେରିକା, ୨୫୦୦ ଫ୍ଲାଇଟ୍ ବିଳମ୍ବିତ

ନ୍ୟୁୟର୍କ : ଆମେରିକାର ଏୟାର ଟ୍ରାଫିକ ନିୟନ୍ତ୍ରଣ ବ୍ୟବସ୍ଥାରେ ଦେଖାଦେଇଥିବା ବୈଷୟିକ ତ୍ରୁଟି ଏବେ ବି କାଏମ ରହିଛି । ଏହା ଫଳରେ ୨୫ ଶହ ଫ୍ଲାଇଟ ବିଳମ୍ବିତ ହୋଇଛି ଓ ଲକ୍ଷ ଲକ୍ଷ ଯାତ୍ରୀ ପ୍ରଭାବିତ ହୋଇଛନ୍ତି । ତେବେ ଏହା ଏକ ସାଇବର ଆକ୍ରମଣ ନୁହେଁ ବୋଲି ଆମେରିକା ସରକାର କହିଛନ୍ତି ।

ଏହା ସାଇବର ଆକ୍ରମଣ ବୋଲି ମଧ୍ୟ କେତେକ ବିଶେଷଜ୍ଞ ସଂଦେହ କରୁଥିବାବେଳେ ହ୍ବାଇଟ ହାଉସ ପକ୍ଷରୁ ତାହାକୁ ଅସ୍ବୀକାର କରାଯାଇଛି । ସ୍ଥିତିକୁ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରହିଛି ଓ ଜରୁରୀକାଳୀନ ବ୍ୟବସ୍ଥା ସ୍ବରୂପ ପ୍ରମୁଖ ଏୟାରପୋର୍ଟ ସହିତ ହଟଲାଇନ ସଂଯୋଗ ଆରମ୍ଭ କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ, ଆମେରିକାର ଫେଡେରାଲ୍ ଏଭିଏସନ୍ ଆଡମିନିଷ୍ଟ୍ରେସନ୍ (ଏଫଏଏ) ର କମ୍ପ୍ୟୁଟରରେ ଏକ ବୈଷୟିକ ତ୍ରୁଟି ରହିଛି, ଯାହା ପରେ ସମଗ୍ର ଆମେରିକାରେ ବିମାନ ଉଡ଼ାଣ ପ୍ରଭାବିତ ହୋଇଛି । ଆମେରିକାର ବେସାମରିକ ବିମାନ ଚଳାଚଳ ୱେବସାଇଟ୍ ଅନୁଯାୟୀ, ପ୍ରାୟ ୪ ହଜାର ବିମାନର ଉଡ଼ାଣ ବାତିଲ ହୋଇଯାଇଛି କିମ୍ବା ବିଳମ୍ବ ହୋଇଛି ।

ତେବେ ଏଫଏଏ ପକ୍ଷରୁ କୁହାଯାଇଛି ଯେ ସ୍ଥିତିରେ କିଛିଟା ଉନ୍ନତି ହୋଇଛି ଓ ବିଶେଷଜ୍ଞମାନେ ସ୍ଥିତି ସଜାଡ଼ିବାରେ କିଛିଟା ସଫଳତା ପାଇଛନ୍ତି । ଆମେରିକାରେ ସ୍ଥାନୀୟ ସମୟ ସକାଳ ୯ଟା (ଭାରତୀୟ ସମୟ ସଂଧ୍ୟା ସାଢେ ୭ଟା) ବେଳେ ଉଡ଼ାଣ ଆରମ୍ଭ ହେବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର