ୱାସିଂଟନ: ଗତ ଦୁଇ ବର୍ଷ ଧରି ରୁଷ୍-ୟୁକ୍ରେନ୍ ଯୁଦ୍ଧ ଚାଲିଥିଲେ ହେଁ ଏବେ ରୁଷ୍ ୟୁକ୍ରେନ୍ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଗୋଟିଏ ପଟେ ରୁଷ୍ ଆମେରିକାରୁ ତା’ର ହଟ୍ଲାଇନ୍ ବନ୍ଦ କରିଥିବା ବେଳେ ଆମେରିକା ମଧ୍ୟ କିବ୍ରେ ଥିବା ତା’ର ଦୂତାବାସକୁ ବନ୍ଦ କରିଦେଇଛି। ଏହି କାରଣରୁ ୟୁକ୍ରେନ୍ ଉପରେ ରୁଷ୍ ବଡ଼ ଧରଣର ଆକ୍ରମଣ କରିପାରେ ବୋଲି ଆଶଙ୍କା ସୃଷ୍ଟି ହୋଇଛି। ନଭେମ୍ବର ୧୯ରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରଶାସନ ପରମାଣୁ ନୀତିର ନୂତନ ନିୟମ କାର୍ଯ୍ୟକାରୀ କରିବ ବୋଲି ଘୋଷଣା କରିଛି। ଏହି ନିୟମ ଅନୁଯାୟୀ ଅନ୍ୟ ରାଷ୍ଟ୍ରର ପ୍ରରୋଚନାରେ ରୁଷ୍ ପ୍ରତି ବିପଦ ସୃଷ୍ଟି କରୁଥିବା ଅଣପରମାଣୁ ରାଷ୍ଟ୍ର ଉପରେ ମଧ୍ୟ ପରମାଣୁ ଆକ୍ରମଣ କରାଯିବ। ରୁଷ୍ର ଏଭଳି ନିଷ୍ପତ୍ତି ସମଗ୍ର ପାଶ୍ଚାତ୍ୟ ଗୋଷ୍ଠୀରେ ହଇଚଇ ସୃଷ୍ଟି କରିଛି। ଏହାର କାରଣ ହେଉଛି ରୁଷ୍ ଏବେ ନିଜର ପରମାଣୁ ଅସ୍ତ୍ର ବ୍ୟବସ୍ଥାକୁ ସୁଦୃଢ଼ କରୁଛି, ଯାହା ପାଶ୍ଚାତ୍ୟ ଦେଶମାନଙ୍କର ଉତ୍ତେଜନା ବଢ଼ାଇଦେଇଛି।
ଗୋଟିଏ ପଟେ ରୁଷ୍ ନିଜର ପରମାଣୁ ନୀତିରେ ପରିବର୍ତ୍ତନ ଆଣିଥିବା ବେଳେ ଅନ୍ୟପଟେ ୬୨ ବର୍ଷ ପରେ ଆମେରିକା ସହ ନିଜର ହଟ୍ ଲାଇନ୍ ଯୋଗାଯୋଗକୁ ବାତିଲ କରିଛି। ଏଭଳି ସ୍ଥିତିରେ ଆମେରିକା ଓ ରୁଷ୍ ମଧ୍ୟରେ ସିଧାସଳଖ ଯୋଗାଯୋଗ ନାହିଁ। ନାଟୋ ଦେଶଗୁଡ଼ିକ ପ୍ରତି ରୁଷ୍ ନିଜର ନୀତିରେ ଆଉ ଏକ ବଡ଼ ପରିବର୍ତ୍ତନ କରିଛି। ଏହା ଅନୁଯାୟୀ, ୟୁକ୍ରେନ୍ ଦ୍ୱାରା କରାଯାଇଥିବା ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଆକ୍ରମଣକୁ ରୁଷ୍ ନାଟୋର ଆକ୍ରମଣ ବୋଲି ବିବେଚନା କରିବ। ଏହି କାରଣରୁ ଏବେ ରୁଷ୍ କେବଳ ୟୁକ୍ରେନ୍ ଆକ୍ରମଣର ଜବାବ ଦେବ ନାହିଁ ବରଂ ୟୁରୋପୀୟ ଦେଶଗୁଡ଼ିକୁ ମଧ୍ୟ ଟାର୍ଗେଟ୍ କରିପାରେ ବୋଲି ଆଶଙ୍କା କରାଯାଉଛି।
ରୁଷ୍ ଏବେ ୟୁକ୍ରେନ୍ ଉପରେ ଚୂଡ଼ାନ୍ତ ଆକ୍ରମଣ କରିବା ମୁଡ୍ରେ ଅଛି ବୋଲି ଅନୁମାନ କରାଯାଉଛି। ୟୁକ୍ରେନ୍ ଉପରେ ରୁଷ୍ର ଆକ୍ରମଣ ଟ୍ୟାକ୍ଟିକାଲ (କମ୍ କ୍ଷମତାସମ୍ପନ୍ନ) ପରମାଣୁ ଅସ୍ତ୍ରରୁ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଖାଲି ସେତିକି ନୁହେଁ, ଏହାର ସହଯୋଗୀ ରାଷ୍ଟ୍ରମାନେ ମଧ୍ୟ ପ୍ରସ୍ତୁତିକୁ ଜୋରଦାର କରୁଛନ୍ତି। ଇରାନ୍ ଅନ୍ତର୍ଜାତୀୟ ନିୟମକୁ ଅଣଦେଖା କରି ସମୃଦ୍ଧ ୟୁରାନିୟମ୍ ଭଣ୍ଡାରକୁ ଆହୁରି ବୃଦ୍ଧି କରିଛି। ଅକ୍ଟୋବର ମାସରେ ଇରାନ ୧୮୨ କେଜି ୟୁରାନିୟମ୍ ସମୃଦ୍ଧ କରିଛି। ଅଗଷ୍ଟ ମାସରେ ଏହା ୧୬୫ କେଜି ୟୁରାନିୟମ୍ ସମୃଦ୍ଧ କରିଥିଲା। ଇରାନ ପାଖରେ ୬୦୬୪ କେଜି ସମୃଦ୍ଧ ୟୁରାନିୟମ୍ ରହିଛି। ତେବେ ଏହାକୁ ୬୦ ପ୍ରତିଶତ ପର୍ଯ୍ୟନ୍ତ ସଂବର୍ଦ୍ଧିତ କରାଯାଇପାରେ। ପରମାଣୁ ଅସ୍ତ୍ର ତିଆରି କରିବା ପାଇଁ ୯୦ ପ୍ରତିଶତ ପର୍ଯ୍ୟନ୍ତ ସମୃଦ୍ଧ ୟୁରାନିୟମ୍ର ଆବଶ୍ୟକତା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2024/11/22/gMxZSHUZCPHGi471RJia.jpg)