ଏଚ୧ବି ଭିସା କଟକଣାକୁ ନେଇ ନରମ ହେଲା ଟ୍ରମ୍ପ ପ୍ରଶାସନ, ଲକ୍ଷ ଲକ୍ଷ ଆଇଟି ପେଶାଦାର ଆଶ୍ୱସ୍ତ

ଓ୍ଵାସିଂଟନ : ବିଭିନ୍ନ ମହଲ ବିଶେଷକରି ଆମେରିକାର ଶିଳ୍ପ ସଂଗଠନ ଗୁଡ଼ିକ ଦ୍ୱାରା ବିରୋଧର ସମ୍ମୁଖୀନ ହେବା ପରେ ଏଚଓ୍ଵାନ-ବି ଭିସା କଟକଣା ନେଇ ନରମ ମନୋଭାବ ପୋଷଣ କରିବାକୁ ଟ୍ରମ୍ପ ପ୍ରଶାସନ ସଂକେତ ଦେଇଛି । ଫଳରେ ଆମେରିକାରେ କାର୍ଯ୍ୟରତ ଲକ୍ଷ ଲକ୍ଷ ଭାରତୀୟ ଆଇଟି ଇଂଜିନିୟର ସାମୟିକଭାବେ ଆଶ୍ୱସ୍ତ ହୋଇଛନ୍ତି ।

ଟ୍ରମ୍ପ ପ୍ରଶାସନର ଜଣେ ଅଧିକାରୀ ମଙ୍ଗଳବାରଦିନ କହିଛନ୍ତି ଯେ ସରକାର ଏପରି କୌଣସି ପ୍ରସ୍ତାବ ଉପରେ କାମ କରୁନାହାନ୍ତି ଯଦ୍ୱାରା ଏଚ-୧ବି ଭିସାଧାରୀଙ୍କୁ ଦେଶଛାଡ଼ିବାକୁ ପଡିବ । ୟୁଏସ୍‌ ସିଟିଜେନସିପ୍‌ ଏଣ୍ଡ ଇମିଗ୍ରେସନ ସର୍ଭିସେସ୍‌ (ୟୁଏସସିଆଇଏସ୍‌)ର ଜଣେ ଅଧିକାରୀଙ୍କ ତରଫରୁ ଏହି ଘୋଷଣା କରାଯାଇଛି । ଏପରିକି ଭିସା କଟକଣା ନେଇ ସରକାରଙ୍କର ମୂଳରୁ ହିଁ କୌଣସି ପ୍ରସ୍ତାବ ନଥିଲା ବୋଲି ସେ କହିଛନ୍ତି ।

କିଛିଦିନ ତଳେ ଖବର ଆସିଥିଲା ଯେ ଟ୍ରମ୍ପ ସରକାର ଆମେରିକାର ଏଚଓ୍ଵାନବି ଭିସା ବ୍ୟବସ୍ଥାରେ କେତେକ କଟକଣା ଲଗାଇବାକୁ ଚାହୁଁଛନ୍ତି । ଏହା ଫଳରେ ଆମେରିକାରେ କାର୍ଯ୍ୟକରୁଥିବା ପ୍ରାୟ ସାଢେ ସାତ ଲକ୍ଷ ଭାରତୀୟ ଆଇଟି ଇଂଜିନିୟରଙ୍କ ଚାକିରି ଉପରେ ସଂକଟର କଳାବାଦଲ ଛାଇଯାଇଥିଲା । ଏସବୁ ପେଷାଦାରମାନେ ଭାରତ ଫେରିବାର ଆଶଙ୍କା ସୃଷ୍ଟି ହୋଇଥିଲା । ଆମେରିକା ସରକାର ବର୍ଷ ଯେତିକି ପରିମାଣ ଏଚଓ୍ଵାନବି ଭିସା ଜାରି କରନ୍ତି, ତାହାର ବିପୁଳ ଭାଗ ଭାରତୀୟ ପେଷାଦାରମାନେ ପାଇଥାନ୍ତି ।

ସମ୍ବନ୍ଧିତ ଖବର