ପଡ଼ୋଶୀମାନଙ୍କ ପ୍ରତି ଗୁଣ୍ଡାମି ମନୋଭାବ ପୋଷଣ କରୁଛି ଚୀନ୍: ଆମେରିକୀୟ ବୈଦେଶିକ ମନ୍ତ୍ରୀ ମାଇକ୍ ପମ୍ପିଓ

ନୂଆଦିଲ୍ଲୀ: ପଡ଼ୋଶୀ ରାଷ୍ଟ୍ରମାନଙ୍କ ପ୍ରତି ଚୀନ୍ ଗୁଣ୍ଡାମି ମନୋଭାବ ପୋଷଣ କରୁଥିବା କଥା ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ୍‌ ପମ୍ପିଓ କହିଛନ୍ତି। ଏହାଛଡ଼ା ସେ ଆହୁରି କହିଛନ୍ତି ଯେ, ଚୀନ୍ ପଡ଼ୋଶୀ ରାଷ୍ଟ୍ରକୁ ବିଭ୍ରାନ୍ତିକର ତଥ୍ୟ ପ୍ରସାର କରିବା ସହ କ୍ଷତିକାରକ ସାଇବର ଅଭିଯାନ ଚଳାଉଛି।

ଡେନ୍‌ମାର୍କର କୋପେନ୍‌ହାଗେନ୍‌ ଠାରେ ଗଣତନ୍ତ୍ର ବିଷୟରେ ଅନ୍‌ଲାଇନ୍‌ କନ୍‌ଫରେନ୍‌ସ୍ ସମୟରେ ପମ୍ପିଓ ଏ ଭଳି ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ବିଶ୍ବର ସବୁଠୁ ଜନବହୁଳ ଗଣତନ୍ତ୍ର ଭାରତ ସହ ପୁପୁଲ୍‌ସ୍ ଲିବରେସନ୍ ଆର୍ମି ସୀମାନ୍ତ ଉତ୍ତେଜନା ବୃଦ୍ଧି କରାଇଛି। ଦକ୍ଷିଣ ଚୀନ୍ ସାଗରକୁ ସାମରିକ ଆଡ୍ଡା କରି ବେଆଇନ୍ ଭାବେ ଅଧିକ ଅଞ୍ଚଳ ଦାବି କରୁଛି ଓ ଗୁରୁତ୍ବପୂର୍ଣ୍ଣ ସମୁଦ୍ର ପଥ ପ୍ରତି ବିପଦ୍ ସୃଷ୍ଟି କରୁଛି।

Image Courtesy of ABP News

ସେ ଆହୁରି ମଧ୍ୟ କହିଲେ ଯେ, ହଙ୍ଗ୍‌କଙ୍ଗ୍‌ରେ ସ୍ବାଧୀନତାର ଅବସାନ ପାଇଁ ଚୀନ୍‌ର କମ୍ୟୁନିଷ୍ଟ୍ ପାର୍ଟି ଆଦେଶନାମା ଜାରି କରିଛି। ଏହା ହେଉଛି ଜାତିସଂଘରେ ପଞ୍ଜିକୃତି ଚୁକ୍ତି ଓ ହଙ୍ଗ୍‌କଙ୍ଗ୍‌ ନାଗରିକମାନଙ୍କର ଅଧିକାର ଉଲ୍ଲଂଘନ। ଚୀନ୍‌ ସରକାର ଉଲ୍ଲଂଘନ କରିଥିବା ଅନେକ ଆନ୍ତର୍ଜାତିକ ରାଜିନାମାରୁ ଏ ହେଉଛି ‌ମାତ୍ର ଗୋଟିଏ।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ବାଣିଜ୍ୟ, କରୋନାଭାଇରସ୍ ସଂକ୍ରମଣର କୁପରିଚାଳନା, ଚୀନ୍ ସଂଖ୍ୟାଲଘୁମାନଙ୍କର ମାନବିକ ଅଧିକାର ଉଲ୍ଲଂଘନ, ହଙ୍ଗ୍‌କଙ୍ଗ୍ ସ୍ଥିତି ଏବଂ ଦକ୍ଷିଣ ଚୀନ୍ ସାଗରେ ଚୀନ୍‌ ସାମରିକ କ୍ଷମତା ଜାହିର  ସମେତ ଅନ୍ୟ କେତେକ ସମସ୍ୟା ବିଷୟରେ ଚୀନ୍ ଓ ଆମେରିକା ମଧ୍ୟରେ ମତାନ୍ତର ଦେଖାଦେଇଛି।

ଏହାଛଡ଼ା ୨୦୨୦ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ଅଭିଯାନରେ ମଧ୍ୟ ଚୀନ୍ ଗୋଟାଏ ପ୍ରମୁଖ ସମସ୍ୟା ବୋଲି ଦର୍ଶାଯାଉଛି।

ସମ୍ବନ୍ଧିତ ଖବର