ଆସାମ ସରକାରଙ୍କୁ ସହାୟତା ମାଗିଲା ଆମେରିକା, କାରଣ ଜାଣନ୍ତୁ

ଗୌହାଟୀ: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଉତ୍ତର-ପୂର୍ବ ରାଜ୍ୟରେ ସହିଦ ହୋଇଥିବା ଆମେରିକୀୟ ସୈନିକଙ୍କ ମୃତଦେହ କୁ ଠାବ କରିବା ପାଇଁ ଆମେରିକାର କନସୁଲ ଜେନେରାଲ ମେଲିଣ୍ଡା ପାଭେକ ଆସାମ ସରକାରଙ୍କ ସହାୟତା ଲୋଡ଼ିଛନ୍ତି। କୋଲକାତାରେ ମେଲିଣ୍ଡା ପାଭେକ ଗୁରୁବାର ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କୁ ସାକ୍ଷାତ କରି ଯବାନଙ୍କ ମୃତଦେହ ଠାବ କରିବାରେ ସାହାଯ୍ୟ କରିବାକୁ ଅନୁରୋଧ କରିଛନ୍ତି ।

ଏହାପରେ ହିମନ୍ତ ବିଶ୍ୱ ଶର୍ମା ଟୁଇଟ୍ କରି ଲେଖିଛନ୍ତି, ଆସାମରେ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ପ୍ରାଣ ହରାଇଥିବା ପ୍ରାୟ ୧୦୦୦ ଆମେରିକୀୟ ସୈନିକଙ୍କ ମୃତଦେହ କୁ ଠାବ କରିବା ପାଇଁ ଆମେରିକୀୟ କାଉନସିଲ ଜେନେରାଲ ଆମର ସହାୟତା ଲୋଡ଼ିଛନ୍ତି । ଏ ଦିଗରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବାକୁ ମୁଁ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛି । ଏହା ରହିତ ମୁଖ୍ୟମନ୍ତ୍ରୀ ଶର୍ମା ଭାରତ ଏବଂ ଆମେରିକା ମଧ୍ୟରେ ଘନିଷ୍ଠ ସମ୍ପର୍କ ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଆମେରିକୀୟ ପୁଞ୍ଜିନିବେଶ ପାଇଁ ଆସାମର ବଢୁଥିବା ଅର୍ଥନୈତିକ ସମ୍ଭାବନା ଉପରେ ଗୁରୁତ୍ୱାରୋପ କରିଥିଲେ ।

ଗତ ମାସରେ ପଶ୍ଚିମବଙ୍ଗର ଦାର୍ଜିଲିଂରେ ଥିବା ଆମେରିକୀୟ ସେନା ଅଧିକାରୀ ମେଜର ଜେନେରାଲ ହେରି କ୍ଲେନବେକ୍ ପିକେଟଙ୍କ ଦେହାବଶେଷକୁ ଆମେରିକା ପଠାଯାଇଥିଲା । ଉଭୟ ପ୍ରଥମ ଓ ୨ୟ ବିଶ୍ବଯୁଦ୍ଧ ଲଢିଥିବା ମେଜର ଜେନେରାଲ ପିକେଟ୍ ୧୯୬୫ରେ ଭାରତ ଗସ୍ତରେ ଆସିଥିବାବେଳେ ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା ଓ ତାଙ୍କୁ ଦାର୍ଜିଲିଂରେ କବର ଦିଆଯାଇଥିଲା ।

ସମ୍ବନ୍ଧିତ ଖବର