ୱାସିଂଟନ୍‌: ଚଳିତ ବର୍ଷ ପ୍ରଥମ କରି ଯୁକ୍ତରାଷ୍ଟ୍ର ଆମେରିକାର ମାସାଚ୍ୟୁସେଟ୍‌ସ୍‌ରେ ବିରଳ ‘ମଙ୍କିପକ୍ସ୍‌’ ସଂକ୍ରମଣ ଚିହ୍ନଟ ହୋଇଛି। ଏହି ରୋଗରେ ସଂକ୍ରମିତ ହୋଇଥିବା ବ୍ୟକ୍ତିଜଣକ କାନଡା ଭ୍ରମଣରେ ଯାଇଥିଲେ।

Advertisment

ଆକ୍ରାନ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଟ୍ରାକିଙ୍ଗ୍‌ କରିବା ଲାଗି ସରକାରୀ ଅଧିକାରୀ ଓ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀମାନେ ଉଦ୍ୟମ ଚଳାଇଛନ୍ତି। ଏହି ସଂକ୍ରମଣ ଏବେ ସର୍ବସାଧାରଣଙ୍କ ନିମନ୍ତେ ବିପଦର କାରଣ ନାହିଁ ବୋଲି ସରକାରୀ ଅଧିକାରୀମାନଙ୍କର ବିଶ୍ବାସ।

ଯୁକ୍ତରାଷ୍ଟ୍ର ଆମେରିକା ପୂର୍ବରୁ ପର୍ତୁଗାଲ୍‌ରେ ୫ଟି ଏବଂ ଇଂଲଣ୍ଡ୍‌ରେ ଆଉ ୨ଟି ନୂଆ ‘ମଙ୍କିପକ୍ସ’ ସଂକ୍ରମଣ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି। ସ୍ପେନ୍‌ର କେନ୍ଦ୍ରୀୟ ମାର୍ଦିଦ୍‌ ଅଞ୍ଚଳରେ ୨୩ଟି ସମ୍ଭାବ୍ୟ ‘ମଙ୍କିପକ୍ସ୍‌’ ସଂକ୍ରମଣ ହୋଇଥିବା କଥା ମଧ୍ୟ ସେଠାକାର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷମାନେ କହିଛନ୍ତି।

publive-image Image Courtesy of India Today

ସୂଚନାଯୋଗ୍ୟ, ‘ମଙ୍କିପକ୍ସ୍‌’ ଭୂତାଣୁ ବସନ୍ତ ସୃଷ୍ଟି କରାଉଥିବା ‘ଅର୍ଥୋପୋକ୍ସ୍‌ଭାଇରସ୍‌’ ପରିବାରର। ଏହି ଭୂତାଣୁକୁ ବସନ୍ତ ଟିକାରେ ବ୍ୟବହାର କରାଯାଇଥିଲା। ‘ମଙ୍କିପକ୍ସ୍‌’ର ଲକ୍ଷଣ ବସନ୍ତ ଲକ୍ଷଣ ସହ ତୁଳନୀୟ ହେଲେ ବି ଏତେ ସାଙ୍ଘାତିକ ନୁହେଁ।

ଟିକାକରଣ ଯୋଗୁଁ ୧୯୮୦ ମସିହାରୁ ବସନ୍ତ ରୋଗ ନିର୍ମୂଳ ହୋଇଯାଇଥିଲେ ବି କେନ୍ଦ୍ରୀୟ ଓ ପଶ୍ଚିମ ଆଫ୍ରିକା ଭଳି କେତେକ ଦେଶରେ ‘ମଙ୍କିପକ୍ସ’ ଭୂତାଣୁ ଏବେ ବି ରହିଛି।

‘ମଙ୍କିପକ୍ସ୍‌’ରେ ଆକ୍ରାନ୍ତ ହେଲେ ଦେହହାତରେ ଫଳି ଯାଇ ଘା’ ହେବା ସହ ଜ୍ବର ହୋଇଥାଏ। ଏହାଛଡ଼ା, କେତେକ ଆକ୍ରାନ୍ତଙ୍କ କ୍ଷେତ୍ରରେ ଜ୍ବର ସହ ଥଣ୍ଡା, ମୁଣ୍ଡବିନ୍ଧା, ମାଂସପେଶୀ ବିନ୍ଧା, ଅବସନ୍ନ ଆଦି ଲକ୍ଷଣ ଦେଖାଯାଏ।