ନୂଆଦିଲ୍ଲୀ: ଡୋନାଲ୍ଡ ଟ୍ରମ୍ପଙ୍କ ପାଲଟା ଶୁଳ୍କ ପଦକ୍ଷେପ ଓ ଏହାର ପ୍ରଭାବ ଜାଣିବାରେ ସାରା ବିଶ୍ୱ ବ୍ୟସ୍ତ ଥିବା ବେଳେ ଆମେରିକା ଚୁପ୍‌ଚାପ୍ ଭାରତ ମହାସାଗର ଓ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଏକ ବିଶାଳ ସାମରିକ ପଦକ୍ଷେପ ନେଇଛି। ଭାରତ ମହାସାଗରରେ ସର୍ବବୃହତ୍ ବି-୨ ବୋମାବର୍ଷୀ ବିମାନ ମୁତୟନ କରିବାକୁ ପେଣ୍ଟାଗନ୍ ନିର୍ଦ୍ଦେଶ ଦେଇଛି। ସାଟେଲାଇଟ୍ ଫଟୋରେ ଆମେରିକା ଓ ବ୍ରିଟେନର ମିଳିତ ଭାରତ ମହାସାଗର ସାମରିକ ଘାଟି ଡିଏଗୋ ଗାର୍ସିଆରେ ଥିବା ରନୱେରେ ଅତି କମ୍‌ରେ ୬ଟି ବି-୨ ଷ୍ଟେଲ୍ଥ ବୋମାବର୍ଷୀ ବିମାନ ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। 

Advertisment

ଆମେରିକା ପାଖରେ ସମୁଦାୟ ୨୦ଟି ବି-୨ ଷ୍ଟେଲ୍ଥ ବୋମାବର୍ଷୀ ବିମାନ ରହିଛି- ଯାହା କି ବିଶ୍ୱର ସବୁଠାରୁ ଅତ୍ୟାଧୁନିକ ସାମରିକ ବିମାନ, ଯେଉଁଥିରୁ ୬ଟି ବର୍ତ୍ତମାନ ଭାରତ ମହାସାଗର ଅଞ୍ଚଳରେ ମୁତୟନ କରାଯାଇଛି। ଏହାବ୍ୟତୀତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ନିଜର ବିମାନବାହୀ ଜାହାଜ ଉପସ୍ଥିତିକୁ ଭାରତ ମହାସାଗରରେ ଦୁଇଟି ଓ ଦକ୍ଷିଣ ଚୀନ୍‌ ସାଗର ନିକଟରେ ଥିବା ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଗୋଟିଏ ବୃଦ୍ଧି କରିବାକୁ ମଧ୍ୟ ଆମେରିକା ଯୋଜନା କରିଛି।

ପେଣ୍ଟାଗନ୍ ୟୁଏସ୍ଏସ୍ କାର୍ଲ ଭିନ୍‌ସନ୍‌କୁ ମଧ୍ୟପ୍ରାଚ୍ୟ ପଠାଇବାକୁ ଯୋଜନା କରିଥିବା ବେଳେ ୟୁଏସ୍ଏସ୍ ହ୍ୟାରି ଏସ୍ ଟ୍ରୁମ୍ୟାନ୍ ଆରବ ସାଗରରୁ ଅପରେସନ୍ ଜାରି ରଖିବ। ତୃତୀୟ ବିମାନବାହୀ ଜାହାଜ ୟୁଏସ୍ଏସ୍ ନିମିଜ ଓ ଏହାର କ୍ୟାରିଅର୍ ଷ୍ଟ୍ରାଇକ୍ ଗ୍ରୁପ୍ ଫ୍ଲିଟ୍ ଦକ୍ଷିଣ ଚୀନ୍ ସାଗର ଆଡ଼କୁ ଗତି କରିବ। ହଠାତ୍ ଓ ବ୍ୟାପକ ସାମରିକ ମୁତୟନ ପରେ ପେଣ୍ଟାଗନ୍ ଏହାକୁ ଯଥାର୍ଥ ଦର୍ଶାଇ କହିଛି ଯେ, ଏହି ଅଞ୍ଚଳରେ ଆମେରିକାର ପ୍ରତିରକ୍ଷା ଆଭିମୁଖ୍ୟରେ ଉନ୍ନତି ଆଣିବା ପାଇଁ ଏହା କରାଯାଇଛି। ଆମେରିକା ଓ ଏହାର ସହଯୋଗୀମାନେ ଆଞ୍ଚଳିକ ନିରାପତ୍ତା ପାଇଁ ପ୍ରତିଶ୍ରୁତିବଦ୍ଧ ଏବଂ ଏହି ଅଞ୍ଚଳରେ ସଂଘର୍ଷ ବଢ଼ାଇବାକୁ ଚାହୁଥିବା ଯେ କୌଣସି ରାଷ୍ଟ୍ର କିମ୍ବା ଅଣ-ରାଷ୍ଟ୍ରୀୟ ଗୋଷ୍ଠୀଙ୍କୁ ଜବାବ ଦେବାକୁ ପ୍ରସ୍ତୁତ ଥିବା ଦରକାର।