ବଢୁଛି ୟୁକ୍ରେନ ଯୁଦ୍ଧ ଆଶଙ୍କା, ଅଧିକ ସୈନ୍ୟ ପଠାଇଲା ଆମେରିକା

ମସ୍କୋ : ଦିନକୁ ଦିନ ଅଧିକ ଜଟିଳ ହେଉଛି ୟୁକ୍ରେନ ସଂକଟ । ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ନିଶ୍ଚିତ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିବାର ଦିନକ ପରେ ଆମେରିକା ପୂର୍ବ ୟୁରୋପରେ ନିଜର ସୈନ୍ୟ ସଂଖ୍ୟା ବଢାଇଦେଇଛି । ତେବେ ପେଣ୍ଟାଗନ ଯୁଦ୍ଧ ଅପେକ୍ଷା, କୂଟନୈତିକ ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ଉପରେ ଗୁରୁତ୍ବ ଦେଉଥିବା ପ୍ରକାଶ କରିଛି ।

ଅନ୍ୟପକ୍ଷରେ ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି ଯେ ନାଟୋ ଓ ଆମେରିକା ଋଷିଆର ମୁଖ୍ୟ ସୁରକ୍ଷା ଦାବିଗୁଡ଼ିକ ଉପରେ କୌଣସି ପଦକ୍ଷେପ ନେଇ ନାହାନ୍ତି । ବରଂ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଉଛନ୍ତି । ତେବେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସଂପର୍କରେ ନିଷ୍ପତ୍ତି ନେବା ପୂର୍ବରୁ ସେ ଆମେରିକା ଓ ନାଟୋ ଦ୍ବାରା ଦିଆଯାଇଥିବା ପ୍ରସ୍ତାବର ତର୍ଜମା କରିବେ । ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକାରନଙ୍କ ସହ ଫୋନ ଆଲୋଚନା ବେଳେ ପୁଟିନ ଏକଥା କହିଛନ୍ତି ।

ନାଟୋ ଆଗରେ ଋଷିଆ ରଖିଥିବା ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ରହିଛି ୟୁରୋପରେ ନାଟୋର ସଂପ୍ରସାରକୁ ବନ୍ଦ କରିବା । ପୂର୍ବ ୟୁରୋପରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ର ମୁତୟନ ବନ୍ଦ କରିବା ତଥା ୟୁକ୍ରେନକୁ ନାଟୋର ସଦସ୍ୟତା ନଦେବା ଇତ୍ୟାଦି । କିନ୍ତୁ ନାଟୋ ଏପର୍ଯ୍ୟନ୍ତ ଏସବୁ ଦାବି ପୂରଣ କରିବାକୁ ପଦକ୍ଷେପ ନେଇନାହିଁ ବୋଲି ପୁଟିନ କହିଛନ୍ତି ।

 

ସମ୍ବନ୍ଧିତ ଖବର