ସାଉଦି ଆରବକୁ ପାଟ୍ରିଅଟ୍ ମିସାଇଲ ପଠାଇଲା ଆମେରିକା, କାରଣ ଜାଣନ୍ତୁ

ରିୟାଦ୍ : ସାଉଦି ଆରବ ପ୍ରତି ହୁଥି ବିଦ୍ରୋହୀଙ୍କ ପକ୍ଷରୁ ବିପଦର ଆଶଙ୍କା ବଢିଚାଲିଥିବାରୁ ଆମେରିକା ସାଉଦି ଆରବକୁ ପାଟ୍ରିଅଟ୍ ଇଣ୍ଟରସେପ୍ଟର ମିସାଇଲ ପଠାଇଛି । ଜରୁରୀକାଳୀନ ଭିତ୍ତିରେ ଏସବୁ ମିସାଇଲ ପଠାଇବାକୁ ସାଉଦି ଆରବ ଗତ ବର୍ଷଠାରୁ ଆମେରିକାକୁ ଅନୁରୋଧ କରିଆସୁଥିଲା । କିନ୍ତୁ ଆମେରିକା ଏହାକୁ ପଠାଉନଥିବାରୁ ଦୁଇ ଦେଶ ମଧ୍ୟରେ ସଂପର୍କ ତିକ୍ତ ହୋଇଥିଲା ।

ତେବେ ଆମେରିକାର ଏହି ମନ ପରିବର୍ତ୍ତନ ପଛରେ ରୁଷ-ୟୁକ୍ରେନ ଯୁଦ୍ଧ ରହିଛି ବୋଲି କୁହାଯାଇଛି । ଏହି ଯୁଦ୍ଧ ଯୋଗୁଁ ରୁଷ ଉପରେ କଟକଣା ଲଗାଯାଇଥିବା ଅନ୍ତର୍ଜାତୀୟ ବଜାରରେ ତେଲଦର ବୃଦ୍ଧି ପାଇଚାଲିଛି । ଏଥିପାଇଁ ତୈଳ ଉତ୍ପାଦନ ବୃଦ୍ଧି କରି ଦର ନିୟନ୍ତ୍ରଣ କରିବାକୁ ଆମେରିକା ସାଉଦି ଆରବକୁ ଅନୁରୋଧ କରିଛି । ତେବେ ପାଟ୍ରିଅଟ ମିସାଇଲ ଦେଉନଥିବାରୁ ସାଉଦି ଏହାକୁ କର୍ଣ୍ଣପାତ କରୁନଥିଲା । ଏବେ ଆମେରିକା ପାଟ୍ରିଅଟ୍ ମିସାଇଲ ପଠାଇବା ପରେ ସାଉଦି ତୈଳ ଉତ୍ପାଦନ ବଢାଇବା ଆଶା କରାଯାଉଛି ।

ଗତ ବର୍ଷ ୟୁଏଇ ଉପରେ ୟେମେନର ହୁଥି ବିଦ୍ରୋହୀମାନଙ୍କ ଦ୍ବାରା  ଡ୍ରୋନ ଆକ୍ରମଣ ପରେ ସାଉଦି ମଧ୍ୟ ନିଜ ଉପରେ ଏପରି ଆକ୍ରମଣ ଆଶଙ୍କା କରୁଛି । ଶତ୍ରୁପକ୍ଷର ରକେଟ ଓ ଡ୍ରୋନ ଆକ୍ରମଣକୁ ନଷ୍ଟ କରିବାକୁ ପାଟ୍ରିଅଟ୍ ମିସାଇଲର ବ୍ୟବହାର କରାଯାଇଥାଏ । ପୂର୍ବରୁ ବି ସାଉଦି ଏସବୁ ମିସାଇଲ ସିଷ୍ଟମ ବ୍ୟବହାର କରୁଥିଲେ ବି ତାହା ଶେଷ ହୋଇଯାଇଥିବାରୁ ନୂଆ ମିସାଇଲ ମଗାଇଥିଲା ।

 

ସମ୍ବନ୍ଧିତ ଖବର