ମହାକାଶରେ ଆଧିପତ୍ୟ ପାଇଁ ଏକ ସ୍ୱତନ୍ତ୍ର ମହାକାଶ ବାହିନୀ ପ୍ରତିଷ୍ଠା କଲା ଆମେରିକା

ଓ୍ଵାସିଂଟନ : ମହାକାଶରେ ଆଧିପତ୍ୟ ପାଇଁ ବିଶ୍ୱର ପ୍ରମୁଖ ମହାଶକ୍ତିମାନଙ୍କ ମଧ୍ୟରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ପୂର୍ବରୁ ଋଷିଆ ଓ ଚୀନ ନିଜର ମହାକାଶ ବାହିନୀ ପ୍ରତିଷ୍ଠା କରିସାରିଥିବାବେଳେ ଆମେରିକା ମଧ୍ୟ ସ୍ୱତନ୍ତ୍ର ସ୍ପେଶ ଫୋର୍ସ ଗଠନ କରିବାକୁ ଯାଉଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ଫୋର୍ସ ଗଠନ ପାଇଁ ମଞ୍ଜୁରୀ ଦେଇଛନ୍ତି । ଏହି ସ୍ପେଶ ଫୋର୍ସ ଆମେରିକାର ଡିଫେନ୍ସ ଡିପାର୍ଟମେଣ୍ଟ (ପ୍ରତିରକ୍ଷା ବିଭାଗ) ଅଧିନରେ କାର୍ଯ୍ୟକରିବ ।

ଟ୍ରମ୍ପ ନ୍ୟାସନାଲ ଡିଫେନ୍ସ ଅଥରାଇଜେସନ ଆଇନ-୨୦୨୦ରେ ସ୍ୱାକ୍ଷର କରିବା ସହ ଏହି ସ୍ପେଶ ଫୋର୍ସ ଗଠନ ପାଇଁ ବଜେଟ୍‌ ମଞ୍ଜୁରୀ ମିଳିଛି । ଆମେରିକାର ଏହି ନୂଆ ପ୍ରତିରକ୍ଷା ୟୁନିଟଟି ଅନ୍ୟ ୫ଟିି ବିଭାଗ ସହ ସମାନ ମାନ୍ୟତା ପାଇବ । ଏ ସଂପର୍କରେ ଆମେରିକାର ପ୍ରତିରକ୍ଷା ସଚିବ ମାର୍କ ଏସପର କହିଛନ୍ତି ଯେ ମହାକାଶ ଏବେ ଏକ ନୂଆ ଯୁଦ୍ଧକ୍ଷେତ୍ର ପାଲଟିଛି । ଏହି ଯୁଦ୍ଧକ୍ଷେତ୍ରରେ ବି ଆମେରିକାର ଆଧିପତ୍ୟ ପ୍ରତିଷ୍ଠା ଏହି ନୂଆ ବାହିନୀ ପ୍ରତିଷ୍ଠାର ମୂଳ ଲକ୍ଷ୍ୟ ।

ଭାରତ ମଧ୍ୟ ମହାକାଶ ଯୁଦ୍ଧ କ୍ଷେତ୍ରରେ ପଛୁଆ ରହିବାକୁ ଚାହୁଁନାହିଁ । ଏହାକୁ ଦୃଷ୍ଟିରେ ରଖି ଭାରତ ଗତ ମାର୍ଚ୍ଚ ମାସରେ ଆଣ୍ଟି-ସାଟେଲାଇଟ ମିସାଇଲ (ଏ-ସ୍ୟାଟ୍‌) ପରୀକ୍ଷା କରିଥିଲା । ତେବେ ନିଜର ମହାକାଶ ରଣକୌଶଳକୁ ଆହୁରି ବ୍ୟବସ୍ଥିତ କରିବାକୁ ଭାରତ ଏକ ସ୍ୱତନ୍ତ୍ର ମିଲିଟାରୀ ସ୍ପେଶ ଏଜେନ୍ସି ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛି । ଏହା ମହାକାଶରେ ଭାରତର ସବୁ ସାମରିକ ଉପକରଣ ଓ ସାଟେଲାଇଟ ଆଦିକୁ ନିୟନ୍ତ୍ରଣ କରିବ । ଏହା ଦାୟିତ୍ୱରେ ଆଣ୍ଟି-ସାଟେଲାଇଟ ମିସାଇଲ କମାଣ୍ଡ ମଧ୍ୟ ରହିବ ।

ସମ୍ବନ୍ଧିତ ଖବର