ଲସ୍ ଏଞ୍ଜେଲ୍ସ୍: ୭୫୦,୦୦୦ ଡଲାର୍ ମୂଲ୍ୟର ସରୀସୃପ ଚୋରାଚାଲାଣ ଯୋଜନାର ଅଂଶ ଭାବେ ପ୍ୟାଣ୍ଟ୍ରେ ସାପ ଓ ଗୋଧି ଆଦି ଲୁଚାଇ ଗୁପ୍ତରେ ଆମେରିକାକୁ ପ୍ରବେଶ କରୁଥିବା ଜଣେ ବ୍ୟକ୍ତି ୨୦ ବର୍ଷ ଜେଲ୍ଦଣ୍ଡାଦେଶ ପାଇଥିବା କଥା ବୁଧବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ଦକ୍ଷିଣ କାଲିଫର୍ଣ୍ଣିଆସ୍ଥିତ ନିଜ ବାସଭବନରୁ ଚଳାଉଥିବା ଉକ୍ତ ୬ ବର୍ଷିୟା ସରୀସୃପ ଚୋରାଚାଲଣ ଯୋଜନାର ମାଷ୍ଟର୍ମାଇଣ୍ଡ୍ ହେଉଛନ୍ତି ଜୋସ୍ ମାନୁଏଲ୍ ପିରେଜ୍। ଏହି ଚୋରାଚାଲାଣ ଯୋଜନାରେ ମେକ୍ସିକୋ ଏବଂ ହଙ୍ଗ୍କଙ୍ଗ୍ରୁ ଅଣାଯାଇଥିବା ୧୭୦୦ ପ୍ରାଣୀ ସେ ଯୁକ୍ତରାଷ୍ଟ୍ର ଆମେରିକାକୁ ଆଣିଛନ୍ତି।
ବିଚାର ବିଭାଗ ଆଗରେ ପିରେଜ୍ ସ୍ବୀକାର କରିଛନ୍ତି ଯେ, କିଛି ବେଆଇନ ମାଲ୍ ପରିବହନ ନିମନ୍ତେ ସେ ଲୋକ ନିଯୁକ୍ତ କରିଥିଲେ ଓ କେବେ କେମିତି ନିଜେ ସୀମା ଟପି ଆମେରିକାରେ ପ୍ରବେଶ କରୁଥିଲେ।
ସେ ଧରିଥିବା ଜୀବଗୁଡ଼ିକ ମଧ୍ୟରେ ଅଛି, ‘ୟୁକାତାନ୍ ବକ୍ସ୍ ଟର୍ଟଲ୍’ (କଇଁଛ), ‘ମେକ୍ସିକାନ୍ ବକ୍ସ୍ ଟର୍ଟଲ୍’(କଇଁଛ), କୁମ୍ଭୀରଛୁଆ ଏବଂ ‘ମେକ୍ସିକାନ୍ ବିଡେଡ୍ ଲିଜାର୍ଡ’ (ଗୋଧି)। ଏ ସବୁକୁ ସେ ସମଗ୍ର ଆମେରିକାରେ ଥିବା ଗରାଖମାନଙ୍କୁ ୭୩୯,୦୦୦ ଡଲାର୍ରୁ ଊର୍ଦ୍ଧ୍ବ ମୂଲ୍ୟରେ ବିକ୍ରୟ କରିଥିବା କଥା କାଗଜପତ୍ରରୁ ଜଣାପଡ଼ିଛି।
ମାର୍ଚ ମାସରେ ଅଣ୍ଟାରେ ଓ ପୋଷାକପତ୍ରର ଅନ୍ୟାନ୍ୟ ସ୍ଥାନରେ ୬୦ଟି ସାପ ଏବଂ ଅନ୍ୟାନ୍ୟ ସରୀସୃପ ଲୁଚାଇ ରଖି ମେକ୍ସିକୋରୁ ଗାଡ଼ି ଚଳାଇ ଆସିବାକୁ ଉଦ୍ୟମ କରୁଥିବା ବେଳେ ସେ ଧରାପଡ଼ିଥିଲେ।
ପୋଷା ଗୋଧିମାନଙ୍କୁ ପକେଟ୍ରେ ପୂରାଇ ନେଉଛି ବୋଲି ପ୍ରଥମେ ସେ କଷ୍ଟ୍ୟୁମ୍ ଅଧିକାରୀମାନଙ୍କୁ କହିଥିଲେ। ତଲାସ ପରେ ତାଙ୍କ ପ୍ୟାଣ୍ଟ୍ରୁ ୬୦ଟି ସରୀସୃପ ଉଦ୍ଧାର କରାଯାଇଥିଲା। ସେଗୁଡ଼ିକ ହେଲା ଗଛରେ ବାସ କରୁଥିବା କୁମ୍ଭୀରିଆ ଗୋଧି ଏବଂ ରଙ୍ଗ ବଦଳାଉଥିବା ‘ଇସ୍ଥ୍ମୀୟ ବାମନ ବୋଡ଼ା’ ନାମରେ ସାପ। ଆଖିରୁ ରକ୍ତ ଝରାଇ ସେ ସାପ ଆତ୍ମରକ୍ଷା କରେ। ସେ ନେଉଥିବା ସରୀସୃପଗୁଡ଼ିକ ମଧ୍ୟରୁ ୩ଟି ମରିଯାଇଥିଲେ।