ନଭେମ୍ବର ୧ ସୁଦ୍ଧା ଆମେରିକା ଲୋକମାନଙ୍କୁ ଦିଆଯିବ କରୋନା ଟିକା

ନ୍ୟୁୟର୍କ : ଆସନ୍ତା ନଭେମ୍ବର ୧ ସୁଦ୍ଧା ଏକ କରୋନ ଭାଇରସ ଟିକା ଲୋକଙ୍କୁ ପ୍ରଦାନ ନିମନ୍ତେ ପ୍ରସ୍ତୁତ ରହିବାକୁ ଆମେରିକାର ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନ (ସିଡିସି)ପକ୍ଷରୁ ବିଭିନ୍ନ ଆମେରିକୀୟ ରାଜ୍ୟମାନଙ୍କୁ କୁହାଯାଇଛି ।  ଏ ସମ୍ପର୍କରେ ବିଭିନ୍ନ ରାଜ୍ୟର ଗଭର୍ଣ୍ଣରମାନଙ୍କୁ ପତ୍ର ଲେଖି ସୂଚୀତ କରାଯାଇଛି ।

ତେବେ ଏହାକୁ ନେଇ ଆମେରିକାରେ ରାଜନୀତି ଆରମ୍ଭ ହୋଇଯାଇଛି । କାରଣ ଆମେରିକାରେ ନଭେମ୍ବର ୩ରେ ନିର୍ବାଚନ ଥିବାରୁ ତାହାର ଦୁଇ ଦିନ ପୂର୍ବରୁ ଲୋକଙ୍କୁ ଟିକା ଦେବା ଲାଗି ନିଷ୍ପତ୍ତି ପଛରେ ଟ୍ରମ୍ପଙ୍କ ଭୋଟ ରାଜନୀତି ଥିବା ବିରୋଧୀ ଦଳ ଅଭିଯୋଗ କରୁଛନ୍ତି । ତରବର ହୋଇ ଲୋକଙ୍କୁ ଟିକା ଦେବା ସଂପର୍କରେ ସରକାରଙ୍କୁ ବିଶେଷଜ୍ଞମାନେ ସତର୍କ କରାଇଦେଇଛନ୍ତି ।

ଆମେରିକାର ମେରିଲାଣ୍ଡଠାରେ ଥିବା ନୋଭାଭାକ୍ସ ନାମକ ଏକ କମ୍ପାନିକୁ ଟିକା ପ୍ରସ୍ତୁତ କରିବାକୁ ୧.୬ ବିଲିୟନ ଡଲାର ପାଣ୍ଠି ଯୋଗାଇଛନ୍ତି ଆମେରିକା ସରକାର । ଏହାଛଡ଼ା ଆମେରିକାରେ ଆଉ ୩ଟି ଟିକା ପରୀକ୍ଷଣ ସ୍ତରରେ ରହିଛି ।

ପୂର୍ବରୁ ଋଷିଆ ଏକ ଟିକା ପ୍ରସ୍ତୁତ କରିଥିବା ଘୋଷଣା କରିସାରିଥିବାବେଳେ ଅକ୍ସଫୋର୍ଡ ଦ୍ୱାରା ପ୍ରସ୍ତୁତ ଟିକା କୋଭିସିଲ୍ଡ ମଧ୍ୟ ବେଶ ଆଦୃତ ହେଉଛି ।

ଆମେରିକାରେ ଏପର୍ଯ୍ୟନ୍ତ ୬୧ଲକ୍ଷ କରୋନା ସଂକ୍ରମିତ ଥିବାବେଳେ ୮ ଲକ୍ଷ ୬୩ ହଜାର ଲୋକ ମୃତ୍ୟୁବରଣ କରିଛନ୍ତି ।

ସମ୍ବନ୍ଧିତ ଖବର