ସିରିଆ-ଇରାକ୍ ସୀମାନ୍ତରେ ଆମେରିକା ଲଢୁଆ ବିମାନ ଆକ୍ରମଣ: ୫ଜଣ ଆତଙ୍କବାଦୀ ନିହତ

ବେରୁଟ୍ (ଲେବାନନ୍): ଇରାକ୍‌ ସୀମାନ୍ତବର୍ତ୍ତୀ ପୂର୍ବ ସିରିଆରେ ଯୁକ୍ତରାଷ୍ଟ୍ର ଆମେରିକା ବିମାନ ଆକ୍ରମଣ କରିବାରୁ ଅନ୍ୟୂନ ୫ଜଣ ଇରାନ୍‌ ସମର୍ଥିତ ଆତଙ୍କବାଦୀ ନିହତ ହୋଇଥିବା କଥା ସୋମବାର ଦିନ ‘ୱାର୍‌ ମନିଟର୍‌’ ରିପୋର୍ଟ କରିଛି।

ବ୍ରିଟେନ୍‌ର ‘ସିରିଆନ୍‌ ଅବ୍‌ଜର୍‌ଭେଟରି ଫର୍‌ ହ୍ୟୁମାନ୍‌ ରାଇଟ୍‌ସ୍‌’ କହିଛି, ଯୁକ୍ତରାଷ୍ଟ୍ର ଆମେରିକାର ଲଢୁଆ ବିମାନ ଆକ୍ରମଣରେ ଅନ୍ୟୂନ ୫ଜଣ ଇରାକୀ ସମର୍ଥିତ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଅନ୍ୟ କେତେଜଣ ଆହତ ହୋଇଛନ୍ତି।

ସିରିଆର ରାଷ୍ଟ୍ରାୟତ ନିଉଜ୍ ଏଜେନ୍‌ସି ‘ସାନା’ କହିଛି, ବିମାନ ଆକ୍ରମଣରେ ଜଣେ ପିଲାର ମୃତ୍ୟୁ ଘଟିଛି ଏବଂ ଅନ୍ୟୂନ ଅନ୍ୟ ତିନିଜଣ ବ୍ୟକ୍ତି ଆହତ ହୋଇଛନ୍ତି।

Image Courtesy of Khaleej Times

ଏକ ବିବୃତିରେ ସୁନିଶ୍ଚିତ କରି ପେଣ୍ଟାଗନ୍‌ କହିଛି ଯେ, ରାଷ୍ଟ୍ରପତି ଜୋ ବାଇଡେନ୍‌ କ୍ଷମତାସୀନ ହେବା ପର ଠାରୁ ସିରିଆରେ ଏହା ହେଉଛି ଯୁକ୍ତରାଷ୍ଟ୍ର ଆମେରିକାର ସମାନ ଧରଣର ଦ୍ବିତୀୟ ଆକ୍ରମଣ।

Image Courtesy of NDTV

ପେଣ୍ଟାଗନ୍‌ର ମୁଖପାତ୍ର ଜନ୍‌ କର୍ବି କହିଛନ୍ତି, ଆତଙ୍କବାଦୀଙ୍କ ଅଭିଯାନ ଚଳାଇବା ଯୋଜନା ଏବଂ ଅସ୍ତ୍ରଶସ୍ତ୍ର ମହଜୁଦ କରି ରଖାଯିବା ଆଡ୍ଡାକୁ ଲକ୍ଷ୍ୟ କରି ସିରିଆରେ ଦୁଇଟି ଏବଂ ଇରାକ୍‌ରେ ଗୋଟିଏ ସ୍ଥାନରେ ବିମାନ ଆକ୍ରମଣ କରାଯାଇଛି। ଏ ଦୁଇଟି ଆଡ୍ଡା ତେହେରାନ୍‌ ସହ ନିବିଡ଼ ସମ୍ପର୍କ ଥିବା ଦୁଇ କଠୋରପନ୍ଥୀ ଇରାକୀୟ ସାମରିକ ସଙ୍ଗଠନ କତୈବ୍ ହେଜ୍‌ବୋଲ୍ଲା ଏବଂ କତୈବ୍ ସାୟିଦ୍‌ ଅଲ୍‌-ଶୁହାଦାଙ୍କ ସମେତ ଅନ୍ୟ ଆତଙ୍କବାଦୀମାନଙ୍କଦ୍ବାରା ବ୍ୟବହୃତ ହେଉଥିଲା।

ସୂଚନାଯୋଗ୍ୟ, ଫେବ୍ରୁଆରି ମାସରେ ଯୁକ୍ତରାଷ୍ଟ୍ର ଆମେରିକାର ଲଢୁଆ ବିମାନ ଆକ୍ରମଣରେ ପୂର୍ବ ସିରିଆରେ ଥିବା ଇରାନ୍‌ସମର୍ଥିତ ଆତଙ୍କବାଦୀ ସଙ୍ଗଠନର ୨୦ଜଣ ସଦସ୍ୟ ନିହତ ହୋଇଥିଲେ।

ସମ୍ବନ୍ଧିତ ଖବର