ୱାସିଂଟନ୍: କୋଭିଡ୍-୧୯ ନିୟମର ଦ୍ବାହି ଦେଇ ବେଜିଙ୍ଗ୍ ଆମେରିକୀୟ ବିମାନ ଚଳାଚଳ ଉପରେ ଲାଗୁ କରିବାରୁ ଆମେରିକା ମଧ୍ୟ ୪୪ଟି ଚୀନା ଯାତ୍ରୀବାହୀ ବିମାନ ବାତିଲ କରିଥିବା କଥା ଶୁକ୍ରବାର ଦିନ ଘୋଷଣା କରିଛି।
ଜାନୁଆରି ୩୦ ରୁ ମାର୍ଚ ୨୯ ମଧ୍ୟରେ ‘ଏୟାର୍ ଚାଇନା’, ‘ଚାଇନା ଇଷ୍ଟର୍ଣ୍ଣ ଏୟାର୍ଲାଇନ୍ସ୍’, ‘ଚାଇନା ସଦର୍ଣ୍ଣ ଏୟାର୍ଲାଇନ୍ସ୍’ ଏବଂ ‘ସିଆମେନ୍ ଏୟାର୍ଲାଇନ୍ସ୍’ର ୪୪ଟି ବିମାନ ଆମେରିକାରୁ ଚୀନ୍ ଯିବ ବୋଲି ଉଡ଼ାଣ-ସୂଚୀ ନିର୍ଦ୍ଧାରିତ ହୋଇଛି।
ସୂଚନାଯୋଗ୍ୟ, ବିମାନ ଆଗମନ ସଂଖ୍ୟା ହ୍ରାସ କରିବା ସହ ସୀମାନ୍ତ ପ୍ରବେଶ ଉପରେ ଚୀନ୍ କଠୋର ନିୟନ୍ତ୍ରଣ ଲାଗୁ କରିଛି। ଯଦି ବିମାନରେ ବହୁସଂଖ୍ୟକ କୋଭିଡ୍-୧୯ ଆକ୍ରାନ୍ତ ଆସିଲେ, ସେ ବିମାନ ଯାତ୍ରାପଥ ବନ୍ଦ କରିବା ପାଇଁ ଚୀନ୍ ‘ସର୍କିଟ୍ ବ୍ରେକର୍’ ନୀତି ମଧ୍ୟ ଜାରି କରିଛି।
ବିମାନ ଆରୋହଣ ପୂର୍ବରୁ କୋଭିଡ୍ ନେଗେଟିଭ୍ ଏବଂ ଚୀନ୍ରେ ପହଞ୍ଚିବା ପରେ ପଜିଟିଭ୍ ହୋଇଥିବା ଯାତ୍ରୀ ଆସିଥିବା ଆମେରିକାନ୍, ଡେଲଟା ଏବଂ ୟୁନାଇଟେଡ୍ ଏୟାର୍ଲାଇନ୍ର ବିମାନଗୁଡ଼ିକୁ ବାତିଲ କରିବା ପାଇଁ ଚୀନା ବିମାନ ଚଳାଚଳ କର୍ତ୍ତୃପକ୍ଷ ‘ସର୍କିଟ୍ ବ୍ରେକର୍’ ନୀତି ଅବଲମ୍ବନ କରିଛନ୍ତି।
/sambad/media/post_attachments/wp-content/uploads/2022/01/plane-1-1024x576.jpg)
ଗତ ସପ୍ତାହାନ୍ତରେ ବେଜିଙ୍ଗ୍ରେ ‘ଓମିକ୍ରନ୍ ଭେରିଏଣ୍ଟ୍’ର ପ୍ରଥମ ଗୋଷ୍ଠୀ ସଂକ୍ରମଣ ମାମଲା ରିପୋର୍ଟ ହେବା ପରେ ଚୀନ୍ ହଜାର ହଜାର ବିମାନ ଉଡ଼ାଣ ବାତିଲ କରିବା ସହ ପରୀକ୍ଷା ବଢ଼ାଇ ଦେଇଛି।
ଶୁକ୍ରବାର ଦିନ ଜାରି କରିଥିବା ଆଦେଶନାମାରେ ଯୁକ୍ତରାଷ୍ଟ୍ର ଆମେରିକାର ପରିବହନ ବିଭାଗ ଲେଖିଛି ଯେ, ଡେଲ୍ଟା, ଆମେରିକାନ୍ ଏବଂ ୟୁନାଇଟେଡ୍ ବିମାନ ଚଳାଚଳ ସ୍ଥଗିତ ରଖାଯିବାରୁ ସର୍ବସାଧାରଣ ସ୍ବାର୍ଥରେ ବାଧା ଆସିଛି। ତେଣୁ, ଆମେରିକାର ପରିବହନ ବିଭାଗ ସମୁଚ୍ଚିତ ପ୍ରତିକାର ପଦକ୍ଷେପ ଗ୍ରହଣ କରିବ।
ଆଦେଶନାମାରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ଉଡ଼ାଣ ପୂର୍ବରୁ ଏବଂ ଉଡ଼ାଣ ସମୟରେ ଚୀନ୍ର ସମସ୍ତ କଟକଣା ମାନି ଗନ୍ତବ୍ୟସ୍ଥଳରେ ଅବତରଣ କରିବା ପରେ ଯଦି ଯାତ୍ରୀମାନେ ପଜିଟିଭ୍ ବାହାରନ୍ତି ତେବେ, ଉକ୍ତ ଯୁକ୍ତରାଷ୍ଟ୍ର ଆମେରିକୀୟ ବିମାନଗୁଡ଼ିକ ଉପରେ ଜରିମାନା କରାଯିବା ଉଚିତ ନୁହେଁ।
ବେଜିଙ୍ଗ୍ ‘ଉଇଣ୍ଟର୍ ଅଲିମ୍ପିକ୍ସ୍’ ଉଦ୍ଘାଟନ କରିବାକୁ ୩ ସପ୍ତାହରୁ କମ୍ ସମୟ ଥିବା ବେଳେ ଆମେରିକା ଏ ଭଳି ପଦକ୍ଷେପ ଗ୍ରହଣ କରିଛି।