ଭାରତକୁ ଆମେରିକାର ଧମକ, ଚୀନ୍‌ ଆକ୍ରମଣ କଲେ କିଏ ସାହାଯ୍ୟ କରିବ?

ରୁଷ୍‌ରୁ ତେଲ କ୍ରୟକୁ ବି ଆମେରିକାର କଡ଼ା ବିରୋଧ

ନୂଆଦିଲ୍ଲୀ : ୟୁକ୍ରେନ୍‌ ଆକ୍ରମଣକୁ ନେଇ ରୁଷ୍‌ ବିରୋଧରେ ଭାରତ ସିଧାସଳଖ କୌଣସି ମନ୍ତବ୍ୟ ଦେଉନଥିବାରୁ ଆମେରିକା କ୍ଷୁବ୍ଧ ହୋଇଛି। ଆମେରିକାର କଟକଣା ସତ୍ତ୍ବେ ରୁଷରୁ ଭାରତ ତେଲ ଆମଦାନୀ କରୁଥିବାରୁ ଅସନ୍ତୋଷ ପ୍ରକାଶ ମଧ୍ୟ କରିଛି। ଏହାସହିତ ଆମେରିକା ଧମକ ଦେଇ କହିଛି ଯେ କୌଣସି ଦେଶ ଏହି କଟକଣାକୁ ବାଟବଣା କରି ରୁଷକୁ ଉପକୃତ କରାଇଲେ ଏହାର ପରିଣାମ ଭୟଙ୍କର ହୋଇପାରେ।

ରୁଷ ବୈଦେଶିକ ମନ୍ତ୍ରୀ ଭାରତ ଗସ୍ତରେ ଅସିଥିବାରୁ ଆମେରିକା ଏହାକୁ ସହଜରେ ଗ୍ରହଣ କରିପାରୁ ନାହିଁ। ୟୁକ୍ରେନ ଯୁଦ୍ଧ ଏବଂ ଆମେରିକାର ଅତି କଠୋର ଆର୍ଥିକ କଟକଣା ସତ୍ତ୍ବେ ରୁଷ ସହିତ ଭାରତର ବାଣିଜ୍ୟ ସଂପର୍କ ସ୍ବାଭାବିକ ରହିଥିବାରୁ ବାଇଡେନ ପ୍ରଶ‌ାସନ ଚିନ୍ତାରେ ପଡ଼ିଯାଇଛି। ଭାରତ ଗସ୍ତରେ ଆସିଥିବା ଆମେରିକାର ଉପ ଜାତୀୟ ସୁରକ୍ଷା ପରାମର୍ଶଦାତା ଦଲିପ ସିଂହଙ୍କ ମନ୍ତବ୍ୟରୁ ଏଭଳି ସୂଚନା ମିଳିଛି। ଆଜି ଏଠାରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ଯେ ରୁଷ୍‌ର ୟୁକ୍ରେନ ଆକ୍ରମଣକୁ ଭାରତ ଖୋଲାଖୋଲି ବିରୋଧ କରିବା ଉଚିତ। ସେ କହିଛନ୍ତି,ଚୀନ ଯଦି ପ୍ରକୃତ ନିୟନ୍ତ୍ରଣ ରେଖା ଉଲ୍ଲଂଘନ କରିବ ଏବଂ ଆକ୍ରମଣ ଆରମ୍ଭ କରିଦେବ ତା’ହେଲେ ରୁଷ୍‌ ଭାରତକୁ ରକ୍ଷା କରିବାକୁ ଆସିବ ନାହିଁ। ଏ ଦିଗରେ ଭାରତକୁ ଚିନ୍ତା କରିବାକୁ ପଡ଼ିବ। ଚୀନ୍‌ ଏବଂ ରୁଷ୍‌ ମଧ୍ୟରେ ଏବେ ବନ୍ଧୁତା ବଢ଼ିଯାଇଛି।

ତେଣୁ ଭାରତ ରୁଷ୍‌ର ସହାୟତା ପାଇବା ଆଶା କରିବା ବୃଥା।

ଭାରତ ରୁଷିଆଠାରୁ ରିହାତି ଦରରେ ତେଲ କିଣୁଥବାରୁ ଆମେରିକା ସହ୍ୟ କରିପାରୁନାହିଁ। ଆମେରିକା ଚାହୁଁଛି ଯେ ରୁଷିଆଠାରୁ ଭାରତର ତୈଳ ଆମଦାନି ପରିମାଣକୁ ହଠାତ୍ ବଢ଼ାନଯାଉ। ଆମେରିକା ବୈଦେଶିକ ବିଭାଗ ମୁଖପାତ୍ର କହିଛନ୍ତି ଯେ ୟୁକ୍ରେନ୍ ଯୁଦ୍ଧ ବନ୍ଦ କରିବା ଲାଗି ରୁଷିଆ ଉପରେ ସବୁଆଡ଼ୁ ଚାପ ସୃଷ୍ଟି ନିମନ୍ତେ ଚେଷ୍ଟା କରାଯାଉଛି। ଏ ସମୟରେ କଟକଣାକୁ ଅଣଦେଖା କରି ତେଲ କିଣିବା ପାଇଁ ରୁପି-ରୁବଲ ପେମେଣ୍ଟ ସିଷ୍ଟମ୍‌ର ପ୍ରବର୍ତ୍ତନ ନିମନ୍ତେ ନୂଆଦିଲ୍ଲୀ ଉଦ୍ୟମ କରୁଛି। ଭାରତ ଯାହା କରୁଛି ତାହା ଠିକ୍‌ ହେଉନାହିଁ ଏବଂ ଏହା ରୁଷ୍‌ ପ୍ରତି ପ୍ରବଳ ସମର୍ଥନର ପରିପ୍ରକାଶ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର