ଆଫଗାନିସ୍ତାନରୁ ଭାରତକୁ ନିଶାଦ୍ରବ୍ୟ ଚୋରାଚାଲାଣ ପାଇଁ ଆମେରିକା ଦାୟୀ : ତାଲିବାନ

ନୂଆଦିଲ୍ଲୀ : ଆଫଗାନିସ୍ତାନରୁ ଭାରତକୁ ଆସୁଥିବା ନିଶାଦ୍ରବ୍ୟ ଉପରେ ମୁହଁ ଖୋଲିଛି ତାଲିବାନ । ଏଥିପାଇଁ ଆମେରିକା ଦାୟୀ ବୋଲି ତାଲିବାନର ଜଣେ ବରିଷ୍ଠ ନେତା କହିଛନ୍ତି ।

ଏକ ଭାରତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଅମିର ଖାଁ ମୁତାକି କହିଛନ୍ତି ଯେ ୨୦୦୧ରେ ଆଫଗାନିସ୍ତାନ ଉପରେ ଆମେରିକାର ଆକ୍ରମଣ ପୂର୍ବରୁ ଦେଶରେ କୌଣସି ନିଶାଦ୍ରବ୍ୟ ଉତ୍ପାଦନ ହେଉନଥିଲା । କିନ୍ତୁ ଗତ ୨୦ ବର୍ଷ ହେଲା ଆଫଗାନିସ୍ତାନରେ ଚାଲିଥିବା ଆମେରିକା ସମର୍ଥିତ ସରକାରଙ୍କ ଅମଳରେ ନିଶାଦ୍ରବ୍ୟ ଉତ୍ପାଦନ ଓ କାରବାର ଚରମ ସୀମାରେ ପହଞ୍ଚିଥିଲା । ଏହି ନିଶାଦ୍ରବ୍ୟ ସୀମା ପାର କରି ଭାରତ ଓ ଅନ୍ୟ ଦେଶକୁ ଯାଉଥିଲା । ମାତ୍ର ଗତ ବର୍ଷ ଆଫଗାନିସ୍ତାନରେ ତାଲିବାନ ଶାସନ ଆରମ୍ଭ ହେବା ପରେ ନିଶାଦ୍ରବ୍ୟ ଉତ୍ପାଦନ ଉପରେ ସଂପୂର୍ଣ୍ଣ ନିଷେଧାଜ୍ଞା ଲଗାଯାଇଛି । ଫଳରେ ଏବେ ନୂଆ ନିଶାଦ୍ରବ୍ୟ ଉତ୍ପାଦନ ହେଉନାହିଁ ଓ ଯାହାକିଛି ବଳକା ଥିବ ସେଗୁଡ଼ିକ ବୋଧହୁଏ ଭାରତ ଓ ଅନ୍ୟଦେଶକୁ ଚୋରାଚାଲାଣ ହେଉଥିବ। କିନ୍ତୁ ସେଗୁଡ଼ିକ ବି ଖୁବଶୀଘ୍ର ବନ୍ଦ ହୋଇଯିବ ।

ସୂଚନାଯୋଗ୍ୟ ଯେ ଗତ ୨୬ ତାରିଖ ଦିନ ଗୁଜୁରାଟର ମୁଦ୍ରା ବନ୍ଦରରୁ ପ୍ରାୟ ୫୦୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ ହୋଇଥିଲା । ଏକ କଣ୍ଟେନରେ ଟାଲକମ ପାଉଡର ରୂପରେ ସେଗୁଡ଼ିକର ଚୋରା ଚାଲାଣ କରାଯାଉଥିବା ବେଳେ ଧରା ପଡ଼ିଥିଲା ।

 

 

ସମ୍ବନ୍ଧିତ ଖବର