ଇରାନ ଉପରେ କଟକଣା : ଭାରତ ଯେପରି ଅନ୍ୟ ଦେଶରୁ ସୁଲଭ ମୂଲ୍ୟରେ ତେଲ ପାଇପାରିବ ସେ ବ୍ୟବସ୍ଥା କରୁଛୁ : ଆମେରିକା

ନୂଆଦିଲ୍ଲୀ : ଇରାନରୁ ତେଲ କିଣିବା ଉପରେ ଆମେରିକା କଟକଣା ଲଗାଇବା ପରେ ଭାରତର ଚିନ୍ତା ବଢିଯାଇଛି । କିନ୍ତୁ ଭାରତ ଯେପରି ଅନ୍ୟାନ୍ୟ ଦେଶରୁ ସୁଲଭ ମୂଲ୍ୟରେ ତେଲ କିଣିପାରିବ ସେଥିପାଇଁ ଆମେରିକା ଉଦ୍ୟମ କରୁଛି ବୋଲି ଭାରତରେ ଥିବା ଆମେରିକା ରାଷ୍ଟ୍ରଦୂତ କେନିଥ ଜଷ୍ଟର କହିଛନ୍ତି । ସେ କହିଛନ୍ତି ଯେ ଏହାର ଏକ ସମାଧାନ ବାହାର କରିବା ପାଇଁ ନିକଟରେ ଆମେରିକାର ବାଣିଜ୍ୟ ସଚିବ ଓ୍ଵିଲବର ରସ ନର୍ଥ ବ୍ଲକଠାରେ ଭାରତର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ସହ ଆଲୋଚନା କରିଛନ୍ତି । ଭାରତର ଚିନ୍ତା ସହ ଆମେରିକା ପରିଚିତ ଅଛି ବୋଲି ସେ କହିଛନ୍ତି ।
ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରିଥାଏ । ଭାରତ ବର୍ଷକୁ ପ୍ରାୟ ୨୩.୫ ନିୟୁତ ଟନ୍ ଅଶୋଧିତ ତେଲ ଇରାନରୁ ଆମଦାନୀ କରିଥାଏ। ଭାରତର ମୋଟ ତେଲ ଆମଦାନୀରେ ଇରାନର ଯୋଗଦାନ ପ୍ରାୟ ୧୦ ପ୍ରତିଶତରୁ ଅଧିକ ରହିଥାଏ। ତେଣୁ ଏତେ ପରିମାଣର ତେଲ ଆମଦାନୀ ଅନୁମତି ଭାରତକୁ ନମିଳିବା ଫଳରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। କାରଣ ଏହା ଫଳରେ ତେଲଦର ବଢିବାର ଆଶଙ୍କା ରହିଛି । ସରକାର ଏବେ ଇରାନ ପରିବର୍ତ୍ତେ ଅନ୍ୟ କୌଣସି ଦେଶରୁ ତେଲ ଆସିପାରିବ ସେ ନେଇ ମାନସ ମନ୍ଥନ ଆରମ୍ଭ କରିଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ସରକାରୀ ଅଧିକାରୀମାନେ ପଶ୍ଚିମ ଏସୀୟ ଦେଶ ସାଉଦି ଆରବ, କୁଏତ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରୁ ଅଧିକ ମାତ୍ରାରେ ତେଲ ଆମଦାନୀ ପାଇଁ ଉଦ୍ୟମ ଚଳାଇଛନ୍ତି।

ସମ୍ବନ୍ଧିତ ଖବର