ୱାସିଂଟନ: ମଧ୍ୟପ୍ରାଚ୍ୟରେ ଇସ୍ରାଏଲ-ହମାସ୍‌ ମଧ୍ୟରେ ଗତ ୭ ତାରିଖରୁ ଚାଲିଥିବା ସଂଘର୍ଷ ଯଦି ଉଗ୍ରରୂପ ନେଇ ଅନ୍ୟ ସ୍ଥାନକୁ ବ୍ୟାପେ ତା’ହେଲେ ଆମେରିକା ଚୁପ୍‌ ବସିବ ନାହିଁ। ଯୁଦ୍ଧ ପ୍ରସାରିତ ହେଲେ ଏହାର ଜବାବରେ ଆମେରିକା ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ଲୟଡ ଅଷ୍ଟିନ୍‌ ରବିବାର କହିଛନ୍ତି। ଆମେରିକା ପ୍ରତିରକ୍ଷା ବିଭାଗ ମଧ୍ୟପ୍ରାଚ୍ୟରେ ତାହାର ସାମରିକ ଉପସ୍ଥିତିକୁ ବଢ଼ାଇବ‌ ବୋଲି ଘୋଷଣା କରିଛି। ଉକ୍ତ ଘୋଷଣାର କିଛି ଘଣ୍ଟା ପରେ ଅଷ୍ଟିନ୍ କହିଛନ୍ତି ଯଦି କୌଣସି ଗୋଷ୍ଠୀ କିମ୍ବା କୌଣସି ଦେଶ ଏହି ସଂଘର୍ଷକୁ ବ୍ୟାପକ ରୂପ ଦେବାକୁ ଚାହୁଥାଏ ଏବଂ ଏହି ଦୁର୍ଭାଗ୍ୟଜନକ ସ୍ଥିତିର ଫାଇଦା ନେବାକୁ ଚାହୁଥାଏ ତା’ହେଲେ ସେମାନଙ୍କୁ ଆମର ଉପଦେଶ ହେବ ତାହା କରନାହିଁ। ଆମେ ଆମକୁ ପ୍ରତିରକ୍ଷା କରିବାର ଅଧିକାର ରଖିଛୁ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେବୁନାହିଁ ବୋଲି ଅଷ୍ଟିନ୍‌ ସ୍ପଷ୍ଟ ଭାବେ କହିଛନ୍ତି।