ନୂଆଦିଲ୍ଲୀ: ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ସଂଘର୍ଷର ଜବାବରେ ପେଣ୍ଟାଗନ୍ ଇସ୍ରାଏଲ ପାଇଁ ଏକ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ନିରୋଧୀ ପ୍ରତିରକ୍ଷା ବ୍ୟବସ୍ଥା ଟର୍ମିନାଲ ହାଇ-ଅଲଟିଚ୍ୟୁଡ୍ ଏରିଆ ଡିଫେନ୍ସ (ଥାଡ୍) ମୁତୟନ କରିବାକୁ ଘୋଷଣା କରିଛି। ନିକଟରେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ ଓ ଏହି ଅଞ୍ଚଳରେ ଶତ୍ରୁତା ବୃଦ୍ଧି ପରେ ଇସ୍ରାଏଲର ବାୟୁ ପ୍ରତିରକ୍ଷାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଥାଡ୍ ବ୍ୟାଟେରି ସହିତ ଏହି ସିଷ୍ଟମ୍କୁ ପରିଚାଳନା ପାଇଁ ପ୍ରାୟ ୧୦୦ ଆମେରିକୀୟ ସୈନିକଙ୍କୁ ନିୟୋଜିତ କରାଯିବ।
ଇସ୍ରାଏଲ ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣ ପରେ ପେଣ୍ଟାଗନ ଥାଡ୍ ସିଷ୍ଟମ୍ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ବାଲିଷ୍ଟିକ୍ କ୍ଷେପଣାସ୍ତ୍ରକୁ ରୋକିବା ପାଇଁ ଡିଜାଇନ୍ କରାଯାଇଥିବା ଥାଡ୍ ଇସ୍ରାଏଲର ବର୍ତ୍ତମାନର ପ୍ରତିରକ୍ଷା ଭିତ୍ତିଭୂମିରେ ସୁରକ୍ଷାର ଆଉ ଏକ ସ୍ତର ଯୋଡ଼ିଛି, ଯାହା ଇରାନ କିମ୍ବା ତା’ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀଠାରୁ ଭବିଷ୍ୟତର କ୍ଷେପଣାସ୍ତ୍ର ବିପଦକୁ ହ୍ରାସ କରିବାରେ ସହାୟକ ହେବ। କ୍ଷୁଦ୍ର ଓ ମଧ୍ୟମ ଦୂରତା ବିଶିଷ୍ଟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ବିପଦର ମୁକାବିଲା ପାଇଁ ଥାଡ୍ର ଡିଜାଇନ୍ ଓ ନିର୍ମାଣ କରାଯାଇଛି। ଇସ୍ରାଏଲ ଇରାନ ବିରୋଧରେ ପ୍ରତିଶୋଧ ନେବାକୁ ଚିନ୍ତା କରୁଥିବାବେଳେ ଆମେରିକାର ସହଯୋଗ କେବଳ ଇସ୍ରାଏଲକୁ ରକ୍ଷା କରିବା ପାଇଁ ନୁହେଁ ବରଂ ଏକ ରଣନୈତିକ ଫାଇଦା ପ୍ରଦାନ ପାଇଁ ଉଦ୍ଦିଷ୍ଟ। ପୂର୍ବ ଭୂମଧ୍ୟସାଗର, ଲୋହିତ ସାଗର ଓ ଆରବ ସାଗରରେ ବିମାନବାହୀ ଜାହାଜ ଓ ଯୁଦ୍ଧ ଜାହାଜ ମୁତୟନ କରାଯାଇଥିବା ବେଳେ ସମଗ୍ର ଅଞ୍ଚଳରେ ଅତିରିକ୍ତ ଏୟାର ଡିଫେନ୍ସ ମୁତୟନ କରାଯାଇଛି। ସ୍ଥାନାନ୍ତର ଯୋଜନାରେ ସହାୟତା କରିବା ପାଇଁ ସାଇପ୍ରସରେ ଆମେରିକୀୟ ସୈନ୍ୟ ମୁତୟନ କରାଯାଇଛି। ଥାଡ୍ ସିଷ୍ଟମ୍ ସହ ଆମେରିକୀୟ ସୈନ୍ୟ ଓ ଉପକରଣ ମୁତୟନ ଇରାନ ଓ ହେଜବୁଲ୍ଲା ସମେତ ଏହାର ସହଯୋଗୀମାନଙ୍କୁ ଆହୁରି ଉତ୍ତେଜନାର ଗମ୍ଭୀର ପରିଣାମ ବିଷୟରେ ଏକ ବଡ଼ ସଂକେତ ଦେଉଛି।
ହେଜବୁଲ୍ଲା ଡ୍ରୋନ୍ ଆକ୍ରମଣରେ ୪ ଇସ୍ରାଏଲ ସୈନିକ ନିହତ
ତେଲ୍ ଅବିବ୍: କେନ୍ଦ୍ରୀୟ-ଉତ୍ତର ଇସ୍ରାଏଲର ଏକ ସେନା ଘାଟି ଉପରେ ଆଜି ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଡ୍ରୋନ୍ ଆକ୍ରମଣ କରିଛି। ଫଳରେ ଏହି ଘଟଣାରେ ୪ ଇସ୍ରାଏଲୀ ସୈନିକ ନିହତ ହୋଇଛନ୍ତି ଏବଂ ୬୦ରୁ ଅଧିକ ଆହତ ହୋଇଛନ୍ତି। ଇସ୍ରାଏଲ ସେନା ପକ୍ଷରୁ ଏହା ସ୍ପଷ୍ଟ କରାଯାଇଛି। ଗତବର୍ଷ ଅକ୍ଟୋବରରେ ଯୁଦ୍ଧ ଆରମ୍ଭ ହେବାପରଠାରୁ ଏହା ଇସ୍ରାଏଲ ଉପରେ ସବୁଠାରୁ ଭୟଙ୍କର ଆକ୍ରମଣ। ରବିବାର ବିଳମ୍ବିତ ରାତିରେ ହେଜବୁଲ୍ଲା ଆତଙ୍କବାଦୀ ଗୋଷ୍ଠୀ ଡ୍ରୋନ୍ ଆକ୍ରମଣ କରିଥିଲା। ହେଜବୁଲ୍ଲା ଦ୍ବାରା ଛଡ଼ାଯାଇଥିବା ଏହି ଡ୍ରୋନ୍ ବିନିୟାମିନା ନିକଟସ୍ଥ ଆଇଡିଏଫ୍ର ଏକ ଘାଟି ଉପରେ ମାଡ଼ ହୋଇଥିଲା।
ତେଲ୍ ଅବିବ୍ ନିକଟରୁ ଏହା ପ୍ରାୟ ୪୦ ମାଇଲ ଦୂର ଏବଂ ଲେବାନନ୍ ସୀମା ନିକଟରେ ଏହା ଅବସ୍ଥିତ। ଆକ୍ରମଣରେ ୭ ଇସ୍ରାଏଲୀ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି ବୋଲି ଆଇଡିଏଫ୍ ସ୍ପଷ୍ଟ କରିଛି। ଇରାନ୍ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀ ହେଜବୁଲ୍ଲା ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି। ଲେବାନନ୍ରେ ଇସ୍ରାଏଲ ବିମାନ ଆକ୍ରମଣର ଜବାବ ଦେଇ ଡ୍ରୋନ୍ ଆକ୍ରମଣ କରାଯାଇଛି ବୋଲି ହେଜବୁଲ୍ଲା କହିଛି। ଉଲ୍ଲେଖଯୋଗ୍ୟ ଯେ ଗୁରୁବାର ଇସ୍ରାଏଲ ବିମାନ ଆକ୍ରମଣ ଯୋଗୁ ଲେବାନନ୍ରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୧୭ ଜଣ ଆହତ ହୋଇଥିଲେ ବୋଲି ଲେବାନନ୍ ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। ଇସ୍ରାଏଲ ଯଦି ଲେବାନନ୍ରେ ଏହାର ସାମରିକ ଅପରେସନ୍ ଜାରି ରଖେ ତେବେ ଅଧିକ ଆକ୍ରମଣ ହେବ ବୋଲି ହେଜବୁଲ୍ଲା ଧମକ ଦେଇଛି।