ମସ୍କୋ : ଦିନକୁ ଦିନ ଅଧିକ ଜଟିଳ ହେଉଛି ୟୁକ୍ରେନ ସଂକଟ । ଋଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ନିଶ୍ଚିତ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ କହିବାର ସପ୍ତାହକ ପରେ ପୂର୍ବ ୟୁରୋପରେ ଅତିରିକ୍ତ ସୈନ୍ୟ ମୁତୟନକୁ ମଂଜୁରୀ ଦେଇଛନ୍ତି । ପେଣ୍ଟାଗନ ପକ୍ଷରୁ କୁହାଯାଇଛି ଯେ, ଖୁବ ଶୀଘ୍ର ଅତିରିକ୍ତ ସୈନ୍ୟ ପୋଲାଣ୍ଡ, ଜର୍ମାନୀ ଓ ରୋମାନିଆରେ ପହଞ୍ଚିବେ ।
ପେଣ୍ଟାଗନ ପ୍ରେସ ସଚିବ ଜନ କର୍ବି କହିଛନ୍ତି ଯେ, ଜର୍ମାନୀରେ ଏବେ ଥିବା ୧୦୦୦ ସୈନ୍ୟଙ୍କୁ ରୋମାନିଆ ପ୍ରେରଣ କରାଯିବ । କିଛିଦିନ ପରେ ଆମେରିକାକୁ ଅତିରିକ୍ତ ୨ ହଜାର ସୈନ୍ୟ ପୋଲାଣ୍ଡ ଓ ଜର୍ମାନିକୁ ପଠାଯିବ ।
ପାଶ୍ଚାତ୍ୟ ଦେଶମାନେ ଋଷିଆକୁ ଏକ ଯୁଦ୍ଧ ଆଡ଼କୁ ଟାଣିନେଉଛନ୍ତି ବୋଲି ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିବାର ଦିନ ପରେ ଆମେରିକା ଅତିରିକ୍ତ ସୈନ୍ୟ ମୁତୟନ ନିଷ୍ପତ୍ତି ନେଇଛି ।
ଗତ ସପ୍ତାହରେ ପୁଟିନ କହିଥିଲେ ଯେ, ଋଷିଆର ମୌଳିକ ସୁରକ୍ଷା ଦାବିକୁ ଆମେରିକା ଓ ନାଟୋ ମାନି ନାହିଁ । ନାଟୋ ଆଗରେ ଋଷିଆ ରଖିଥିବା ପ୍ରମୁଖ ଦାବି ଗୁଡ଼ିକ ମଧ୍ୟରେ ରହିଛି ୟୁରୋପରେ ନାଟୋର ସଂପ୍ରସାରକୁ ବନ୍ଦ କରିବା । ପୂର୍ବ ୟୁରୋପରେ ଗଣସଂହାରକାରୀ ଅସ୍ତ୍ରଶସ୍ତ୍ର ମୁତୟନ ବନ୍ଦ କରିବା ତଥା ୟୁକ୍ରେନକୁ ନାଟୋର ସଦସ୍ୟତା ନଦେବା ଇତ୍ୟାଦି । କିନ୍ତୁ ନାଟୋ ଏପର୍ଯ୍ୟନ୍ତ ଏସବୁ ଦାବି ପୂରଣ କରିବାକୁ ପଦକ୍ଷେପ ନେଇନାହିଁ ବୋଲି ପୁଟିନ କହିଛନ୍ତି ।