ୟୁକ୍ରେନକୁ ହିମରାସ୍ କ୍ଷେପଣାସ୍ତ୍ର ଯୋଗାଇବ ଆମେରିକା, ଯୁଦ୍ଧକୁ ଆହୁରି ବଢାଇବାକୁ ରୁଷର ଧମକ

କିବ୍ : ୟୁକ୍ରେନକୁ ଦୂରଗାମୀ କ୍ଷେପଣାସ୍ତ୍ର ଯୋଗାଣ ହେଲେ ଯୁଦ୍ଧର ପରିସର ବଢିବ ଓ ନୂଆ ନୂଆ ଅଞ୍ଚଳ ଉପରେ ଆକ୍ରମଣ କରାଯିବ ବୋଲି ରୁଷ ଧମକ ଦେଇଛି । ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ କହିଛନ୍ତି ଯେ ଆକ୍ରମଣର ଫୋକସ ଡୋନବାସ ଠାରୁ ଆହୁରି ଅଧିକ ସ୍ଥାନକୁ ବ୍ୟାପିଯାଇଛି ।

ସେ କହିଛନ୍ତି ଯେ ଆମେରିକା ଓ ବ୍ରିଟେନ ଯୁଦ୍ଧକୁ ଆହୁରି ବଢାଇବାକୁ ଆଗ୍ରହୀ ଅଛନ୍ତି । ଏଥିପାଇଁ ୟୁକ୍ରେନକୁ ଅତ୍ୟାଧୁନିକ ଯୁଦ୍ଧାସ୍ତ୍ର ଯୋଗାଣ ଜାରି ରଖିଛନ୍ତି ।

ବୁଧବାରଦିନ ଆମେରିକାର ପ୍ରତିରକ୍ଷା ସଚିବ ଲୟଡ ଅଷ୍ଟିନ କହିଛନ୍ତି ଯୋ ୟୁକ୍ରେନକୁ ଆଉ ୪ଟି ରକେଟ ସିଷ୍ଟମ ଯୋଗାଇ ଦିଆଯିବ । ସେଗୁଡ଼ିକ ମଧ୍ୟରେ ରହିଛି ହାଇ ମୋବିଲିଟି ଆର୍ଟିଲେରି ରକେଟ୍ ସିଷ୍ଟମ୍ ବା ହିମରାସ । ଏହାକୁ ପାଇବା ପରେ ୟୁକ୍ରେନ ରୁଷର ଆଭ୍ୟନ୍ତରୀଣ ଅଂଚଳକୁ ଆକ୍ରମଣ କରିପାରିବ ।  ଗତ ଜୁନ ମାସରେ ବି ଆମେରିକା ଏହି ରକେଟ ସିଷ୍ଟମ ୟୁକ୍ରେନକୁ ପ୍ରଦାନ କରିଥିଲା ।

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନ୍‌କୁ ଅଧିକ ଦୂରଗାମୀ ଓ ଅତ୍ୟାଧୁନିକ କ୍ଷେପଣାସ୍ତ୍ର ପ୍ରଦାନ କରିବାକୁ ଗତ ମେ ମାସରେ ନିଷ୍ପତ୍ତି ନେଇଥିଲେ । ଏହା ମାଧ୍ୟମରେ ଆମେରିକା ୟୁକ୍ରେନ୍‌କୁ ୭୦୦ ନିୟୁତ ଡଲାରର ଅସ୍ତ୍ରଶସ୍ତ୍ର ଯୋଗାଇଦେବ । ତା’ ଭିତରେ ଦୂରଗାମୀ କ୍ଷେପଣାସ୍ତ୍ର ସହ ଏୟାର ସର୍ଭେଲାନ୍ସ ରାଡାର, ଜାଭେଲିନ କମାଣ-ବିଧ୍ବଂସୀ କ୍ଷେପଣାସ୍ତ୍ର ଏବଂ ସାଞ୍ଜୁଭେଦୀ ଅସ୍ତ୍ରଶସ୍ତ୍ର ପ୍ରଭୃତି ଅନ୍ତର୍ଭୁକ୍ତ ଅଛି।

 

 

ସମ୍ବନ୍ଧିତ ଖବର