ଆମେରିକା-ତାଲିବାନ ଚୁକ୍ତି : ୧୪ ମାସ ମଧ୍ୟରେ ଆଫଗାନିସ୍ତାନରୁ ନାଟୋ ସେନା ଫେରିବେ

ଦୋହା :  ଆମେରିକା ଓ ତାଲିବାନ ମଧ୍ୟରେ  ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହୋଇଛି । ଏହି ଚୁକ୍ତି ଅନୁସାରେ ଆସନ୍ତା ୧୪ ମାସ ମଧ୍ୟରେ ଆମେରିକା ଆଫଗାନିସ୍ତାନରୁ ନିଜର ସମସ୍ତ ସୈନ୍ୟ ଅପସାରଣ କରିବ । ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୩୫ ଦିନ (ସାଢେ ୪ ମାସ) ମଧ୍ୟରେ ଆମେରିକା ନିଜର ପ୍ରାୟ ୮୬୦୦ ସୈନ୍ୟଙ୍କୁ ଅପସାରଣ କରିବ ।

ତେବେ ଏହି ସୈନ୍ୟ ଅପସାରଣ ତାଲିବାନର ଆଚରଣ ଉପରେ ନିର୍ଭର କରିବ । ଯଦି ଶାନ୍ତି ରକ୍ଷା ପାଇଁ ତାଲିବାନ ଦେଇଥିବା ପ୍ରତିଶ୍ରୁତି ପୂରଣ ନକରେ ତେବେ ସୈନ୍ୟ ଅପସାରଣ ସଂପର୍କରେ ପୁନର୍ବିଚାର କରାଯିବ ।

ଅନ୍ୟପକ୍ଷରେ ଏହି ଚୁକ୍ତି ମାଧ୍ୟମରେ ନିଆଯାଇଥିବା ନିଷ୍ପତ୍ତି ଅନୁସାରେ ଆମେରିକା ପକ୍ଷରୁ ବନ୍ଦୀ କରାଯାଇଥିବା ପ୍ରାୟ ୫ ହଜାର ଲୋକଙ୍କୁ ମୁକ୍ତ କରାଯିବ ବୋଲି ତାଲିବାନର ଜଣେ ସଦସ୍ୟ ସେର ମହମ୍ମଦ ଆବ୍ଦାସ ଷ୍ଟାନିକଜାଇ କହିଛନ୍ତି । ସେ କହିଛନ୍ତି ଯେ ପ୍ରାୟ ୨୦ ବର୍ଷର ଯୁଦ୍ଧ ପରେ ଆଜିର ଦିନ ଆଫଗାନିସ୍ତାନ ପାଇଁ ଏକ ଐତିହାସିକ ଦିନ । ତେବେ ଏହି ଚୁକ୍ତି ମାଧ୍ୟମରେ ଆମେରିକା ସ୍ପଷ୍ଟ କରିଦେଇଛି ଯେ ଆମେରିକା ନିଜର ତାଲିବାନ ବିରୋଧୀ ଅଭିଯାନକୁ ବନ୍ଦ କଲେ ମଧ୍ୟ ଆଫଗାନିସ୍ତାନରେ ଥିବା ଅନ୍ୟ ଆତଙ୍କବାଦୀ ସଂଗଠନ ଯଥା ଆଇସିସ, ଅଲକାଇଦା ଆଦି ବିରୁଦ୍ଧରେ ସଂଗ୍ରାମ ଜାରି ରହିବ ଓ ଏ କ୍ଷେତ୍ରରେ ଆଫଗାନ ସେନାକୁ ସହାୟତା ଅବ୍ୟାହତ ରହିବ ।

ସମ୍ବନ୍ଧିତ ଖବର