ଆଉ ଜଣେ ଇରାନୀୟ କମାଣ୍ଡର୍‌ଙ୍କୁ ହତ୍ୟା କରିବାକୁ ଚାହୁଁଥିଲା ଆମେରିକା, କିନ୍ତୁ ସଫଳ ହେଲା ନାହିଁ

ଓ୍ଵାସିଂଟନ୍‌: ଡ୍ରୋନ୍‌ରୁ ରକେଟ୍‌ ନିକ୍ଷେପ କରି ‘ରିଭୋଲ୍ୟୁସ୍‌ନାରି ଗାର୍ଡ’ କମାଣ୍ଡର୍‌ କାଶିମ୍‌ ସୁଲେମାନିଙ୍କୁ ହତ୍ୟା କରାଯିବା ଦିନ ଆମେରିକୀୟ ସେନା ଅନ୍ୟ ଜଣେ ଇରାନୀୟ କମାଣ୍ଡର୍‌ଙ୍କୁ ମଧ୍ୟ ହତ୍ୟା କରିବାକୁ ଉଦ୍ୟମ କରିଥିଲା। କିନ୍ତୁ, ଏଥିରେ ସଫଳ ହୋଇ ନ ଥିବା କଥା ଶୁକ୍ରବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅଧିକାରୀମାନେ କହିଛନ୍ତି।

ସେମାନେ କହିଛନ୍ତି, ଇରାନ୍‌ର ‘ଇସ୍‌ଲାମିକ୍‌ ରିପବ୍ଲିକାନ୍‌ ଗାର୍ଡ କର୍ପସ୍‌’ର ଶୀର୍ଷସ୍ତରୀୟ କମାଣ୍ଡର୍‌ ଅବ୍‌ଦୁଲ୍‌ ରେଜା ଶାହଲୈଇଙ୍କୁ ମଧ୍ୟ ଆମେରିକୀୟ ସେନା ଟାର୍ଗେଟ୍‌ କରିଥିଲେ, କିନ୍ତୁ ହତ୍ୟା କରିବାରେ ସଫଳ ହୋଇ ନ ଥିଲେ। ଇରାନୀୟ ଜେନେରାଲ୍‌ କାଶିମ୍‌ ସୁଲେମାନି ଏବଂ ଶାହଲୈଇ ଯୁକ୍ତରାଷ୍ଟ୍ର ଆମେରିକାର ସରକାରୀ ଅନୁମୋଦିତ ଟାର୍ଗେଟ୍‌ ତାଲିକାରେ ଥିଲେ। ଯୁକ୍ତରାଷ୍ଟ୍ର ଆମେରିକା ଦ୍ୱାରା ଆତଙ୍କବାଦୀ ସଂଗଠନ ଘୋଷିତ ଇରାନ୍‌ର ‘କୁଦ୍‌ସ୍‌ ଫୋର୍ସ’କୁ ଅକର୍ମଣ୍ୟ କରିଦେବା ନିମନ୍ତେ ଏଭଳି ନିଷ୍ପତ୍ତି ନିଆଯାଇଛି।

Image Source: AP News

ଜାନୁଆରି ୩ ତାରିଖରେ ବାଗ୍‌ଦାଦ୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟରେ ପହଞ୍ଚିବା ପରେ ପରେ ଯୁକ୍ତରାଷ୍ଟ୍ର ଆମେରିକାର ଡ୍ରୋନ୍‌ ଆକ୍ରମଣରେ ସୁଲେମାନିଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ଆତଙ୍କବାଦୀ ଆକ୍ରମଣ କହି ଇରାନ୍‌ ଜାନୁଆରି ୮ ତାରିଖ ଦିନ ଆମେରିକୀୟ ଏବଂ ତାହାର ମିତ୍ର ଦେଶର ସୈନ୍ୟମାନେ ରହୁଥିବା ଇରାକ୍‌ ଛାଉଣି ଉପରେ ଡଜନାଧିକ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ର ନିକ୍ଷେପ କରିଥିଲା। କିନ୍ତୁ, ଏଥିରେ କେହି ମୃତାହତ ହୋଇ ନ ଥିବା କଥା କୁହାଯାଇଛି।

‘ଇସ୍‌ଲାମିକ୍‌ ରିପବ୍ଲିକାନ୍‌ ଗାର୍ଡ କର୍ପସ୍‌’କୁ ଆର୍ଥିକ ସହାୟତା ଯୋଗାଉଥିବା ଶାହଲୈଇଙ୍କ ସମେତ ଅନ୍ୟାମାନଙ୍କ ବିଷୟରେ ସୂଚନା ପାଇବା ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ ୧୫ ନିୟୁତ ଆମେରିକୀୟ ଡଲାର୍‌ ପୁରସ୍କାର ଘୋଷଣା କରିଛି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗ କହିଛି ଯେ ବିଶ୍ୱବ୍ୟାପୀ ଆମେରିକୀୟ ଏବଂ ତା’ର ମିତ୍ରରାଷ୍ଟ୍ରମାନଙ୍କର ନାଗରିକଙ୍କୁ ଟାର୍ଗେଟ୍‌ କରିବାରେ ଶାହଲୈଙ୍କର ଲମ୍ବା ଇତିହାସ ରହିଛି।

ସମ୍ବନ୍ଧିତ ଖବର