ୱାଶିଂଟନ: ସାଇବର ସୁରକ୍ଷା ପ୍ରସଙ୍ଗରେ ଆମେରିକା ଚୀନ୍ ଉପରେ ଅସନ୍ତୋଷ ପ୍ରକାଶ କରିଛି। ଆମେରିକା ଅଭିଯୋଗ ଆଣିଛି ବିନା ଅନୁମତିରେ ଚୀନ୍ ନାଗରିକଙ୍କ ତଥ୍ୟ ଚୋରି କରୁଛି। ବର୍ତ୍ତମାନ ରାଷ୍ଟ୍ରପତି ଜୋ ବାଇଡେନ ପ୍ରଶାସନ ଏହା ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନିୟମ ପରିବର୍ତ୍ତନ କରିଛନ୍ତି। ଏହି ନିୟମ ଦ୍ବାରା ଚୀନ୍ ପାଇଁ ଆମେରିକାର ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ଚିପ୍ସ ପାଇବା ଏବେ କଷ୍ଟକର ହେବ। କେବଳ ଏତିକି ନୁହେଁ, ଆମେରିକା ଚିପ୍ ତିଆରି ଉପକରଣ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛି।
ଜାତୀୟ ନିରାପତ୍ତା ପ୍ରସଙ୍ଗକୁ ଉଲ୍ଲେଖ କରି ଆମେରିକା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଆମେରିକୀୟ ଖବର କାଗଜ ଅନୁଯାୟୀ ଏହା ବେଜିଂର ଚିପମେକିଂ ଶିଳ୍ପ ଉପରେ ସିଧାସଳଖ ପ୍ରଭାବ ପକାଇବ। ନାଭିଡିଆ ଦ୍ୱାରା ନିର୍ମିତ ଏହି ଚିପ୍ ହାସଲ କରିବାରେ ଏଣିକି ଚୀନ୍ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ଯାଉଛି। ଗତ ବର୍ଷ ଅକ୍ଟୋବରରେ ଏହି ଚିପ୍ ବିଷୟରେ ଆମେରିକା ସରକାର ନିୟମ ପ୍ରଣୟନ କରିଥିଲେ।
ରଏଟର୍ସରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଏହି ନିଷ୍ପତ୍ତି ୱାଶିଂଟନ୍ ପକ୍ଷରୁ ଗ୍ରହଣ କରାଯାଇଛି କାରଣ ଆମେରିକା ଅନୁଭବ କରୁଛି ଯଦି ଚୀନ୍ ଏହି ଚିପ୍ ପାଇବ ତେବେ ଏହା ଡ୍ରାଗନ୍ ଆର୍ମିକୁ ଅଧିକ ଶକ୍ତିଶାଳୀ କରିବ। ବୈଷୟିକ କ୍ଷେତ୍ରରେ ଚୀନ୍ ମଧ୍ୟ ଶକ୍ତି ପାଇବ। ଏହି କାରଣରୁ ଆମେରିକା ଏକ ନୂତନ ନିୟମ ଆଣିଛି ଏବଂ ୧୬୬ ପୃଷ୍ଠାର ଲମ୍ବା ନିୟମ ଗୁରୁବାର କାର୍ଯ୍ୟକାରୀ ହୋଇଛି।
ଚିପ୍ ଉପରେ ନିଷେଧାଦେଶ ଯୋଗୁ ଏହି ଚିପ୍ ବ୍ୟବହାର ହୋଇଥିବା ଲାପଟପ ରପ୍ତାନି ମଧ୍ୟ ବନ୍ଦ ହୋଇଯିବ। ଆମେରିକା ବାଣିଜ୍ୟ ବିଭାଗ କହିଛି ସରକାରଙ୍କ ଏହି ନିଷ୍ପତ୍ତି ତୁରନ୍ତ କାର୍ଯ୍ୟକାରୀ ହୋଇଛି। ବର୍ତ୍ତମାନ ଆମେ ଏଆଇ ଚିପ୍ସ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇବାକୁ ଯୋଜନା କରୁଛୁ।
ଏହା ପୂର୍ବରୁ ଆମେରିକା ଏବଂ ଇଂଲଣ୍ଡ ମଧ୍ୟ ସାଇବର ସୁରକ୍ଷା ସମ୍ପର୍କରେ ଚୀନ୍ ଠାରୁ ଉତ୍ତର ମାଗିଥିଲେ। ଉଭୟ ଦେଶ କହିଛନ୍ତି ସେମାନଙ୍କ ନାଗରିକଙ୍କ ତଥ୍ୟ ଚୀନ୍ ଦ୍ୱାରା ଚୋରି ହେଉଛି। ତେବେ ଏଭଳି ଅଭିଯୋଗକୁ ଚୀନ୍ ଖଣ୍ଡନ କରିଛି। ଏହା ମନ ଗଢ଼ା ବୋଲି ଚୀନ୍ କହିଛି।