ଅଲ-ଜଓ୍ବାହିରିକୁ ନିପାତ କରିଛି ଆମେରିକାର ରହସ୍ୟମୟ ‘ନିଞ୍ଜା ବମ୍’

ନୂଆଦିଲ୍ଲୀ : ଆମେରିକା ଦ୍ବାରା ଅଲକାଇଦା ମୁଖ୍ୟ ଆଇମନ୍ ଅଲ-ଜଓ୍ବାହିରିକୁ ଡ୍ରୋନ ଆକ୍ରମଣ କରି ହତ୍ୟା କରାଯିବା ଘଟଣା ସମଗ୍ର ବିଶ୍ବରେ ଚର୍ଚ୍ଚାରେ ରହିଛି । କାବୁଲର ଏକ ଘରେ ଥିବା ବାଲକୋନିରେ ସେ ବୁଲୁଥିବାବେଳେ ଆମେରିକାର ଡ୍ରୋନରୁ ଏକ ବୋମା ନିକ୍ଷେପ ହୋଇ ତାକୁ ନିପାତ କରିଥିଲା ।

ଜଓ୍ବାହିରି ରହୁଥିବା ଘରଟିର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଡ୍ରୋନ ଆକ୍ରମଣ ସତ୍ତ୍ବେ ଏହି କୋଠାରୁ ସଂପୂର୍ଣ୍ଣ ଅକ୍ଷତ ରହିଥିବା ଦେଖାଯାଉଛି । କେବଳ ଗୋଟିଏ ଝରକା ଟିକିଏ ଭାଙ୍ଗିରୁଜି ଯାଇଛି । ଆମେରିକା ଏପରି କେଉଁ ବୋମା ପକାଇଲା ଯେ ଜଓ୍ବାହିରି ମୃତ୍ୟୁବରଣ କଲା, କିନ୍ତୁ ଘରଟି ଅକ୍ଷତ ରହିଗଲା ?

କେତେକ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଏହି ଅପରେସନ ପାଇଁ ଆମେରିକା ଏକ ଅତ୍ୟନ୍ତ ରହସ୍ୟମୟ ବୋମାର ବ୍ୟବହାର କରିଛି । ତାହାର ନାଁ ଆର୯-ଏକ୍ସ । ଏହାକୁ ମଧ୍ୟ କୁହାଯାଏ ନିଞ୍ଜା ବମ୍ ବା ଫ୍ଲାଇଙ୍ଗ୍ ଗିନସୁ । ଜାପାନୀ ଯୋଦ୍ଧା ନିଞ୍ଜାମାନେ ଯେପରି ଅତି ଧାରୁଆ ତରବାରୀରେ ଶତ୍ରୁକୁ ହତ୍ୟା କରନ୍ତି ଏହି ବୋମାରେ କେତେକ ଧାରୁଆ ବ୍ଲେଡ୍ ଲାଗିଛି, ଯାହାକି ଟାର୍ଗେଟକୁ ଖଣ୍ଡ ଖଣ୍ଡ କରିପକାଏ ।

ଏହି ବୋମା ନିକ୍ଷେପ ହେବା ପରେ ଏହା ସେପରି କୌଣସି ବଡ଼ ଧରଣର ବିସ୍ଫୋରଣ କରେ ନାହିଁ । ନୀରବରେ କୋଠାର ଛାତରେ ଛିଦ୍ର କରି ପ୍ରବେଶ କରେ ଓ ହତ୍ୟା କରେ ।  କିନ୍ତୁ ଆଖପାଖରେ ଥିବା ଲୋକ କିମ୍ବା ସାମଗ୍ରୀକୁ ଏହା କୌଣସି କ୍ଷତି ପହଞ୍ଚାଇନଥାଏ ।

ଏହି ରହସ୍ୟମୟ ଅସ୍ତ୍ର ସଂପର୍କରେ ୨୦୧୭ରେ ପ୍ରଥମେ ଜଣାପଡ଼ିଥିଲା , ଯେତେବେଳେ ଆମେରିକା ଏକ ଡ୍ରୋନରୁ ଏହାକୁ ନିକ୍ଷେପ କରି ଅଲକାଇଦାର ବରିଷ୍ଠ କମାଣ୍ଡର ଅବୁ-ଅଲ-ଖଇର ଅଲ ମସରିକୁ ହତ୍ୟା କରିଥିଲା । ଏକ କାରର ଛାତ କଣା କରି ଏହା ପ୍ରବେଶ କରି ପଛ ସିଟରେ ବସିଥିବା ମସରିକୁ ନିପାତ କରିଥିଲା । କିନ୍ତୁ କାରରେ ବସିଥିବା ଅନ୍ୟମାନଙ୍କର କୌଣସି ହାନୀ ହୋଇନଥିଲା ।

ସମ୍ବନ୍ଧିତ ଖବର