ୱାସିଂଟନ୍ : ପାକିସ୍ତାନୀ ଆତଙ୍କବାଦୀ ସଂଗଠନଗୁଡ଼ିକ ଆଗକୁ ଭାରତ ଏବଂ ଆଫଗାନିସ୍ତାନରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରୁଛନ୍ତି। ଆଫଗାନିସ୍ତାନରେ ଜୁଲାଇରେ ରାଷ୍ଟ୍ରପତି ନିର୍ବାଚନ ଏବଂ ଭାରତରେ ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଉଭୟ ଦେଶ ପାଇଁ ଆତଙ୍କବାଦୀମାନେ ବଡ଼ ଚ୍ୟାଲେଂଜ ସୃଷ୍ଟି କରିବେ। ନିର୍ଦ୍ଦିଷ୍ଟ ଭାବେ ଲୋକସଭା ନିର୍ବାଚନ ପୂର୍ବରୁ ଭାରତରେ ବଡ଼ ଧରଣର ସାମ୍ପ୍ରଦାୟିକ ହିଂସା ଏବଂ ଆକ୍ରମଣ ଘଟିପାରେ ବୋଲି ଆମେରିକାର ଜାତୀୟ ଗୁଇନ୍ଦା ସଂସ୍ଥାର ନିର୍ଦ୍ଦେଶକ ଡାନ୍ କୋଟ୍ସ ଏବଂ ସିଆଇଏ ନିର୍ଦ୍ଦେଶକ ଜିନା ହାସ୍ପେଲ ସତର୍କ କରାଇ ଦେଇଛନ୍ତି। ‘ସିନେଟ୍ ସିଲେକ୍ଟ କମିଟି ଅନ୍ ଇଣ୍ଟେଲିଜେନ୍ସ’ରେ ଏକ ରିପୋର୍ଟ ଉପସ୍ଥାପନ କରି ଡାନ୍ ଏବଂ ସିଆଇଏ ନିର୍ଦ୍ଦେଶକ ଏଭଳି ଚେତାବନୀ ଦେବାପରେ ଭାରତର ସୁରକ୍ଷା ସଂସ୍ଥାଗୁଡ଼ିକ ଅଧିକ ଆଲର୍ଟ ହୋଇଛନ୍ତି। ବିଶ୍ବବ୍ୟାପୀ ବିଭିନ୍ନ ସ୍ଥାନରେ ଆକ୍ରମଣ ନେଇ ଆମେରିକୀୟ ଗୁଇନ୍ଦା ସଂସ୍ଥା ରିପୋର୍ଟ ଉପସ୍ଥାପନ କରିଥିବା ବେଳେ ଏଥିରେ ଭାରତର ସ୍ଥିତିକୁ ଅଧିକ ଗୁରୁତ୍ବ ଦିଆଯାଇଛି। ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କ ପାଇଁ ଭୂସ୍ବର୍ଗ ପାଲଟିଛି। ପାକିସ୍ତାନ ଆତଙ୍କବାଦକୁ ନିୟନ୍ତ୍ରଣ କରିବା ପରିବର୍ତ୍ତେ ଅଧିକ ପ୍ରୋତ୍ସାହନ ଦେଉଛି। କେବଳ ପାକିସ୍ତାନର ସୁରକ୍ଷା ପାଇଁ ସିଧାସଳଖ ଭାବେ ବିପଦ ହୋଇଥିବା ଆତଙ୍କବାଦୀ ଗୋଷ୍ଠୀ ସହିତ ଏହା ମୁକାବିଲା କରୁଥିବା ବେଳେ ଭାରତ ବିରୋଧୀ ସଂଗଠନଗୁଡ଼ିକୁ ପ୍ରୋତ୍ସାହନ ଦେଉଛି।
ସିଲେକ୍ଟ କମିଟିରେ ଉପସ୍ଥାପନ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି ଯେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ବିଜେପି ଉଗ୍ର ହିନ୍ଦୁତ୍ବ ଉପରେ ଗୁରୁତ୍ବାରୋପ କରେ ତେବେ ଭାରତରେ ଆଗାମୀ ସଂସଦୀୟ ନିର୍ବାଚନରେ ବଡ଼ ଧରଣର ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିବ।