ଓ୍ଵାସିଂଟନ: ଆଣବିକ ଅସ୍ତ୍ରଶସ୍ତ୍ରର ପ୍ରସାରକୁ କୌଣସି ପରିସ୍ଥିତିରେ ଆମେରିକା ବରଦାସ୍ତ କରିବ ନାହିଁ। ଅମେରିକା କିମ୍ବା ତାର କୌଣସି ସହଯୋଗୀ ରାଷ୍ଟ୍ର ଉପରେ ଉତ୍ତର କୋରିଆ ପରମାଣୁ ଆକ୍ରମଣ କଲେ, ସମଗ୍ର ଉତ୍ତର କୋରିଆ ସାମ୍ରାଜ୍ୟର ପତ୍ତନ ଘଟିବ ବୋଲିି ଆମେରିକା ପୁଣି ଥରେ ଚେତାବନୀ ଦେଇଛି । ଆମେରିକାର ଟ୍ରମ୍ପ ପ୍ରଶାସନର ଗତ ଶୁକ୍ରବାର ଦିନ ବାରାକ ଓବାମାଙ୍କ ଆଣବିକ ଅସ୍ତ୍ର ନୀତିକୁ ଚାଲୁ ରଖିବ ବୋଲି ଘୋଷଣା କରିବା ସହିତ ରୁଷିଆ ପ୍ରତି ତାର ଆଭିମୁଖ୍ୟକୁ ଅଧିକ ଶାଣିତ କରିଛି। ଯେ କୌଣସି ୟୁରୋପୀୟ ରାଷ୍ଟ୍ର ଉପରେ ସୀମତି ପରମାଣୁ ଆକ୍ରମଣ ହେଲେ, ଏଥିପାଇଁ ରୁଷିଆକୁ ବହୁତ ମୂଲ୍ୟ ଦେବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଛି।ଏ ସମ୍ପର୍କିତ ୭୪ ପୃଷ୍ଠାର ସମୀକ୍ଷା ରିପୋର୍ଟରେ ଆମେରିକା ପରମାଣୁ ଅସ୍ତ୍ରର ପ୍ରସାର ନେଇ ମଧ୍ୟ ବିଶ୍ୱ ସମୁଦାୟକୁ ସତର୍କ କରିଦେଇଛି।
ଆମେରିକା ଚୀନ୍କୁ ମଧ୍ୟ ଏକ ଆଣବିକ ଅସ୍ତ୍ର କ୍ଷମତା ସମ୍ପନ୍ନ ଶତ୍ରୁ ଭାବେ ବିବେଚନା କରିଛି। ଏସିଆ ମହାଦେଶରେ ସାମନ୍ୟ ସୀମତି ଆଣବିକ ଆକ୍ରମଣ ମଧ୍ୟ ଗ୍ରହଣୀୟ ନୁହେଁ ବୋଲିି ଆମେରିକା ପକ୍ଷରୁ କୁହାଯିବା ସହିତ ପାକିସ୍ତାନ ପାଖରେ ଥିବା ଆଣବିକ ଅସ୍ତ୍ରଶସ୍ତ୍ର ଆତଙ୍କବାଦୀଙ୍କ ହାତରେ ପଡ଼ିବା ନେଇ ଆଶଙ୍କା ପ୍ରକାଶ କରିଛିି। ସେହିପରି କୌଣସି ଦେଶ ହେଉ ଅଥବା ଅନ୍ୟ କେହି ଯଦି ଆତଙ୍କବାଦୀମାନଙ୍କ ହାତରେ ଆଣବିକ ଅସ୍ତ୍ର ଦେବାକୁ ଚେଷ୍ଟା କରେ ତେବେ ଆମେରିକା ତାଙ୍କୁ ଉତ୍ତରଦାୟୀ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋାଲି ପେଣ୍ଟାଗନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆମେରିକର ରାଜନୈତିକ ବ୍ୟାପାରର ଉପ ସଚିବ ଟମ୍ ସାନ୍ନନ କହିଛନ୍ତି।