ୱାସିଂଟନ: ଖୁବ ଶୀଘ୍ର ଚୀନ୍‌ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ହ୍ବାଇଟ୍‌ ହାଉସ୍‌ ପକ୍ଷରୁ ଚେତାବନୀ ଦିଆଯାଇଛି। ତେବେ ଚୀନ୍‌ ଉପରେ କେଉଁ ଧରଣର କାର୍ଯ୍ୟାନୁଷ୍ଠାନ ହେବ ତାହା ସ୍ପଷ୍ଟ କରାଯାଇନାହିଁ। କୋଭିଡ-୧୯ ବ୍ୟାପିବା ପରଠାରୁ ଆମେରିକା ଓ ଚୀନ୍‌ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ଚୀନ୍‌ ସମଗ୍ର ବିଶ୍ବରେ କରୋନା ଭୂତାଣୁ ସଂକ୍ରମିତ କରିଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ବାରମ୍ବାର କହି ଆସୁଛନ୍ତି। ସେହିଭଳି ହଂକଂରେ ଚୀନ୍‌ ନୂଆ ଜାତୀୟ ସୁରକ୍ଷା ଆଇନ୍‌ ଲାଗୁ କରିବା ସହ ଆମେରିକୀୟ ଗଣମାଧ୍ୟମକୁ ବାରଣ କରିଥିବାରୁ ଆମେରିକା ଖପ୍ପା ହୋଇଛି। ଉଇଘର ମୁସ୍‌ଲିମମାନଙ୍କ ଉପରେ ଚୀନ୍‌ ଚଳାଇଥିବା ଅତ୍ୟାଚାର ଏବଂ ତିବ୍ବତର ସୁରକ୍ଷା ସଂକ୍ରାନ୍ତ ପ୍ରସଙ୍ଗକୁ ନେଇ ଆମେରିକା ଚୀନ୍‌ ଉପରେ ଅସନ୍ତୁଷ୍ଟ ଅଛି। ଏସବୁ କାରଣକୁ ନେଇ ଖୁବ୍‌ ଶୀଘ୍ର ଆମେରିକା ଚୀନ୍‌ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ହ୍ବାଇଟ୍‌ ହାଉସ୍‌ ପ୍ରେସ୍‌ ସଚିବ କେଲିଗ ମାକ୍‌ ଏନାନି ଗଣମାଧ୍ୟମକୁ କହିଛନ୍ତି।

Advertisment

publive-image Image Courtesy of Reuters

ସେହିଭଳି ଚୀନ୍‌ ବିରୋଧରେ ଆମେରିକା ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି ବୋଲି ପୂର୍ବରୁ ହ୍ବାଇଟି ହାଉସ ଚିଫ୍‌ ଅଫ୍‌ ଷ୍ଟାଫ ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ସୂଚନା ଦେଇଥିଲେ। ଚୀନ୍‌ ଉପରେ ଅତି କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ଆମେରିକା ଜାତୀୟ ସୁରକ୍ଷା ପରାମର୍ଶଦାତା ରୋବର୍ଟ ଓବ୍ରେନ୍‌ କହିଛନ୍ତି। ଚୀନ୍‌ ବିରୋଧରେ ଏତେବଡ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୂର୍ବରୁ କୌଣସି ଆମେରିକୀୟ ରାଷ୍ଟ୍ରପତି ସକ୍ଷମ ହୋଇ ନଥିବାବେଳେ ଡୋନାଲ୍‌ଡ ଟ୍ରମ୍ପ୍‌ ଏଭଳି କରିବାକୁ ଯାଉଛନ୍ତି ବୋଲି ଓବ୍ରେନ୍‌ କହିଛନ୍ତି। ଅପରପକ୍ଷେ, ହଂକଂ ଉପରେ ଜାତୀୟ ସୁରକ୍ଷା ଆଇନ ଲାଗୁ କରି ଚୀନ୍‌ ବଡ଼ ଭୁଲ୍‌ କରିଛି ବୋଲି ହ୍ବାଇଟ୍‌ ହାଉସ ପକ୍ଷରୁ କୁହାଯାଇଛି। ଚୀନ୍‌ ଆମେରିକାର ବୌଦ୍ଧିକ ସମ୍ପଦକୁ ଚୋରି କରୁଛି ବୋଲି ପୂର୍ବରୁ ଏଫ୍‌ବିଆଇର ନିର୍ଦ୍ଦେଶକ ଖ୍ରୀଷ୍ଟଫର ରେ କହିଥିଲେ। ସେହିଭଳି ଟିକ୍‌ଟକ୍‌, ୱିଚାର୍ଟ ଭଳି ଆପ୍‌ ଯୋଗୁଁ ଆମେରିକାର ବ୍ୟକ୍ତିଗତ ତଥ୍ୟ ଚୋରି ହେଉଛି ବୋଲି ପୂର୍ବରୁ ସଚିବ ମାଇକ ପୋମ୍ପିଓ କହିଥିଲେ। ଚୀନ୍‌ର ଏଭଳି ଚୋରି ଉପରେ ରାଷ୍ଟ୍ରପତି ଟ୍ରମ୍ପ ତୀକ୍ଷ୍ଣ ନଜର ରଖିଛନ୍ତି ବୋଲି ଜାତୀୟ ସୁରକ୍ଷା ପରାମର୍ଶଦାତା ଓବ୍ରେନ୍‌ କହିଛନ୍ତି।