ନୂଆଦିଲ୍ଲୀ: ଇସ୍ରାଏଲ ଉପରେ ଇରାନ ଏବଂ ଏହାର ଛାୟା ସଂଗଠନଗୁଡ଼ିକ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରନ୍ତି। ଆମେରିକା ଗୁଇନ୍ଦା ସଂସ୍ଥା ଏନେଇ ଇସ୍ରାଏଲକୁ ସତର୍କ କରାଇ ଦେଇଛି। ଆମେରିକାର ବରିଷ୍ଠ ସୁରକ୍ଷା ଅଧିକାରୀମାନେ ପରିସ୍ଥିତି ଉପରେ ଅହରହ ନଜର ରଖିଛନ୍ତି। ଇତିମଧ୍ୟରେ ଉତ୍ତେଜନା ନ ବଢ଼ାଇବାକୁ ଇରାନକୁ ଆମେରିକା ତାଗିଦ କରିଛି। ହ୍ବାଇଟ୍‌ ହାଉସ୍‌ ମୁଖପାତ୍ର ଜନ୍‌ ଏଫ୍‌ କିର୍ବି ଆଜି ଏ ବାବଦ ଘୋଷଣା କରି କହିଛନ୍ତି ଯେ ଇସ୍ରାଏଲ ମଧ୍ୟ ପାଲଟା ଆକ୍ରମଣ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି। ନିକଟରେ ଇସ୍ରାଏଲ୍‌ କରିଥିବା ୨ଟି ଆକ୍ରମଣର ଜବାବ ଦେବାକୁ ଇରାନ ପଣ କରି ସାରିଥିବା ବେଳେ ଏଭଳି ସ୍ଥିତି‌ରେ ସମଗ୍ର ମଧ୍ୟପ୍ରାଚ୍ୟ ଏକ ବଡ଼ ଯୁଦ୍ଧର ଦ୍ବାରଦେଶରେ ରହିଛି। ଯୁଦ୍ଧ ଉତ୍ତେଜନା ବଢ଼ୁଥିବାରୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ୫ ବିଶ୍ବ ନେତା ଇରାନକୁ ନିୟନ୍ତ୍ରଣରେ ରହିବାକୁ କହିଛନ୍ତି।

Advertisment

ଆମେରିକା ସହିତ ବ୍ରିଟେନ୍‌, ଫ୍ରାନ୍ସ, ଜର୍ମାନୀ ଏବଂ ଇଟାଲି ମଧ୍ୟ ଯୁଦ୍ଧ ଉତ୍ତେଜନା କମାଇବା ପାଇଁ କାମ କରୁଛନ୍ତି। ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧବିରତିକୁ ସେମାନେ ସମର୍ଥନ କରୁଥିବା ନେଇ ଏକ ମିଳିତ ବିବୃତି ଜାରି କରିଛନ୍ତି। ବ୍ରିଟେନ ପ୍ରଧାନମନ୍ତ୍ରୀ କେୟର ଷ୍ଟାର୍ମର ଏବଂ ଜର୍ମାନ ଚାନ୍ସଲର ଓଲାଫ୍‌ ସ୍କଲ୍‌ଜ ଏହି ସଙ୍କଟର ମୁକାବିଲା ଦିଗରେ ସିଧାସଳଖ ପଦ‌କ୍ଷେପ ଗ୍ରହଣ କରୁଛନ୍ତି। ସେମାନେ ଏଭଳି ସାମରିକ ଉତ୍ତେଜନାକୁ ନିୟନ୍ତ୍ରଣ କରିବାପାଇଁ ଇରାନର ନବ ନିର୍ବାଚିତ ରାଷ୍ଟ୍ରପତି ମସୋଦ ପେଜେସ୍କିଆନ୍‌ଙ୍କ ସହ ଯୋଗାଯୋଗ କରିଛନ୍ତି। ଇଜିପ୍ଟ ଏବଂ କତାର ପକ୍ଷରୁ ଅସ୍ତ୍ରବିରତି ନେଇ ଆଲୋଚନା ଗୁରୁବାରଠାରୁ ଆରମ୍ଭ ହେବ। କିନ୍ତୁ ହ୍ବାଇଟ ହାଉସ ମୁଖପାତ୍ର କହିଛନ୍ତି, ଯଦି ଇରାନ୍‌ ଆକ୍ରମଣ ଆରମ୍ଭ କରିଦିଏ ତେବେ ପୁଣି ରଣନୀତିକ ସମୀକ୍ଷା କରାଯିବ। ଅନ୍ୟପକ୍ଷରେ ମଧ୍ୟପ୍ରାଚ୍ୟରେ ଆମେରିକା ଯୁଦ୍ଧଜାହାଜ ମୁତୟନ ବଢ଼ାଇବା ସହ ଯୁଦ୍ଧବିମାନଗୁଡ଼ିକୁ ହାଇଆଲର୍ଟରେ ରଖିଛି। ଇତିମଧ୍ୟରେ ଇସ୍ରା‌ଏଲ ସେନା ପଡ଼ୋଶୀ ଲେବାନନ୍‌ରେ ପାଟ୍ରୋଲ୍‌ ବୃଦ୍ଧି କରିଛି। ସାମରିକ ମୁଖପାତ୍ର ଡାନିଏଲ୍‌‌ ହେଗାରି କହିଛନ୍ତି, ଲେବାନନ୍‌ ବାୟୁସୀମାକୁ ନେଇ ଆମେ ସଜାଗ ରହିଛୁ। ଅନ୍ୟପକ୍ଷେ ଆଇଡିଏଫ୍‌ (ଇସ୍ରାଏଲ ପ୍ରତିରକ୍ଷା ବାହିନୀ) ମୁଖ୍ୟ ହେର୍ଜି ହାଲେଭି ଶୀର୍ଷ ସାମରିକ ଅଧିକାରୀମାନଙ୍କ ସହ ସ୍ଥିତି ଆକଳନ କରିଛନ୍ତି।

ଇସ୍ରାଏଲକୁ ‘ଏମ୍ ୯୦ ରକେଟ୍’ରେ ଟାର୍ଗେଟ କଲା ହମାସ

ତେଲ୍‌ ଆଭିଭ୍‌: ଇସ୍ରାଏଲ ଉପରେ ଆଜି ହମାସ ପୁଣି ରକେଟ୍‌ ଆକ୍ରମଣ କରି ମଧ୍ୟପ୍ରାଚ୍ୟ ଉତ୍ତେଜନାକୁ ବଢ଼ାଇଦେଇଛି। ତେଲ୍‌ ଆଭିଭ୍‌ ସହର ଏବଂ ଏହାର ଉପାନ୍ତ ଅଞ୍ଚଳରେ ଦୁଇଟି ‘ଏମ୍-୯୦’ ରକେଟ୍ ମାଡ଼ ହୋଇଥିବା ବେଳେ ହମାସର ସଶସ୍ତ୍ର ସଂଗଠନ ଅଲ୍ କାସାମ୍ ବ୍ରିଗେଡ୍ ଏହି ଆକ୍ରମଣ କରିଥିବା ଘୋଷଣା କରିଛି। ଏହି ଆକ୍ରମଣ ପରେ ଇସ୍ରାଏଲ ଅଧିକ ସତର୍କତା ଅବଲମ୍ବନ କରିଛି। ରକେଟ୍‌ ଆକ୍ରମଣଜନିତ କୌଣସି କ୍ଷୟକ୍ଷତି ନେଇ ରିପୋର୍ଟ ମିଳିନଥିଲେ ମଧ୍ୟ ଅଧିକ ଆକ୍ରମଣ ଆଶଙ୍କାରେ ନାଗରିକଙ୍କୁ ସତର୍କ କରାଯାଇଛି । ଇସ୍ରାଏଲ ବାୟୁସେନା କହିଛି ଯେ ଆଜି ଲେବାନନ୍‌ର କେତେକ ଅଜ୍ଞାତ ସ୍ଥାନରୁ ରକେଟ୍‌ ଆକ୍ରମଣ ଉଦ୍ୟମ ହୋଇଥିଲେ ମଧ୍ୟ ଏହା ଇସ୍ରାଏଲ ବାୟୁସୀମା ଭିତରେ ପ୍ରବେଶ କରିପାରିନାହିଁ।
ଗାଜା ଯୁଦ୍ଧବିରତି ଆଲୋଚନା ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ହମାସ୍‌ ଇସ୍ରାଏଲ ଉପରେ ଆଉ ଏକ ପର୍ଯ୍ୟାୟରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଥିବାରୁ ଯୁଦ୍ଧବିରତି ସମ୍ଭାବନା ବହୁତ କ୍ଷୀଣ ବୋଲି କୁହାଯାଉଛି। ଗୁରୁବାର ହେବାକୁ ଥିବା ଶାନ୍ତି ଆଲୋଚନା ଉପରେ ପୂରା ବିଶ୍ବର ନଜର ରହିଛି। ହିଜବୁଲ୍ଲା, ହୁତି ଏବଂ ଇରାନ୍‌ ରିଭୋଲ୍ୟୁସନାରୀ ଗାର୍ଡର ମିଳିତ ଆକ୍ରମଣକୁ ପଣ୍ଡ କରିବା ପାଇଁ ଇସ୍ରାଏଲ ତା’ର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାଗୁଡ଼ିକୁ ପ୍ରସ୍ତୁତ ରଖିଛି ଏବଂ ବଡ଼ ଆକ୍ରମଣସ୍ଥଳେ ଇସ୍ରାଏଲ ଶତ୍ରୁ ଟାର୍ଗେଟ୍‌ଗୁଡ଼ିକ ସମୂଳେ ଧ୍ବଂସ କରିବାକୁ ପଛାଇବ ନାହିଁ ବୋଲି କହିଛି।