ଆମେରିକାର ଚେତାବନୀ: ପୁତିନ୍‌ଙ୍କ ସମାଲୋଚକ ନାଭାଲ୍‌ନିଙ୍କର ମୃତ୍ୟୁ ହେଲେ ‘ପରିଣାମ’ ଭୋଗିବ ରୁଷ୍‌

ଓ୍ଵାସିଂଟନ୍‌: ଅନଶନରତ କ୍ରେମ୍‌ଲିନ୍‌ ସମାଲୋଚକ ଆଲେକ୍ସି ନାଭାଲ୍‌ନିଙ୍କ ମୃତ୍ୟୁ ହେଲେ ରୁଷ୍‌ ‘ପରିଣାମ’ ଭୋଗିବ ବୋଲି ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ନିରାପତ୍ତା ପରାମର୍ଶଦାତା ଜେକ୍‌ ସୁଲିଭାନ୍‌ ରବିବାର ଦିନ ଚେତାବନୀ ଶୁଣାଇଛନ୍ତି।

ସମ୍ପ୍ରତି ଜେଲ୍‌ରେ ଥିବା ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁତିନ୍‌ଙ୍କ ପ୍ରମୁଖ ସମାଲୋଚକ ନାଭାଲ୍‌ନିଙ୍କୁ ଜାନୁଆରି ମାସରେ ଗିରଫ କରାଯାଇଥିଲା। ଜର୍ମାନୀରୁ ଚିକିତ୍ସତ ହୋଇ ବିଷକ୍ରିୟାଜନିତ ମୃତ୍ୟୁମୁଖରୁ ବଞ୍ଚିଥିବା ନାଭାଲ୍‌ନି ରୁଷ୍‌ ପ୍ରତ୍ୟାବର୍ତ୍ତନ କରିବା ପରେ ଗିରଫ ହୋଇଥିଲେ। ‘ମସ୍କୋ’ ଷଡ଼ଯନ୍ତ୍ର କରି ତାଙ୍କୁ ବିଷ ଦେଇଥିବା କଥା ସେ କହିଥିଲେ।

ସୁଲିଭାନ୍‌ ଗଣମାଧ୍ୟମ ‘ସିଏନ୍‌ଏନ୍‌’କୁ କହିଛନ୍ତି, ନିର୍ଦ୍ଦିଷ୍ଟ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଆମେ ବିଭିନ୍ନ ଆଡୁ ପର୍ଯ୍ୟାଲୋଚନା କରୁଛୁ। ସେ ସମ୍ପର୍କରେ ମୁଁ ପ୍ରକାଶ୍ୟରେ କିଛି କହିବାକୁ ଚାହୁଁନାହିଁ। କିନ୍ତୁ, ଆମେ ଜଣାଇ ଦେବାକୁ ଚାହୁଁ ଯେ, ନାଭାଲ୍‌ନିଙ୍କର ମୃତ୍ୟୁ ହେଲେ ‘ପରିଣାମ’ ନିଶ୍ଚୟ ଭୋଗିବାକୁ ପଡ଼ିବ। ଅଣ୍ଟାବ୍ୟଥା, ଗୋଡ଼ହାତ ସ୍ଥାଣୁତାର ଉପଯୁକ୍ତ ଡାକ୍ତରୀ ଚିକିତ୍ସା ଦାବି କରି ମାର୍ଚ ୩୧ ତାରିଖରୁ ୪୪ ବର୍ଷିୟ ରୁଷୀୟ ନାଭାଲ୍‌ନି ଅନଶନ ଆରମ୍ଭ କରିଥିଲେ।

Image Courtesy of NDTV

ଶନିବାର ଦିନ ଡାକ୍ତରମାନେ କହିଛନ୍ତି ଯେ, ତାଙ୍କର ସ୍ୱାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନତି ଘଟୁଛି। ଚିକିତ୍ସା ନିମନ୍ତେ ଜେଲ୍‌ ଅଧିକାରୀମାନେ ତୁରନ୍ତ ଡାକ୍ତରମାନଙ୍କୁ ଅନୁମତି ଦେବା ଆବଶ୍ୟକ।

ଶନିବାର ଦିନ ଟୁଇଟ୍‌ କରି ନାଭାଲ୍‌ନିଙ୍କ ଝିଅ ଡେରିଆ ଲେଖିଛନ୍ତି, ବାପାଙ୍କୁ ଦେଖିବା ପାଇଁ ଜଣେ ଡାକ୍ତରଙ୍କୁ ଅନୁମତି ମିଳୁ।

ନାଭାଲ୍‌ନିଙ୍କ ଉଚ୍ଚ ପୋଟାସିୟମ୍‌ ସ୍ତର ପ୍ରତି ଇଙ୍ଗିତ କରି ହୃଦ୍‌ରୋଗ ବିଶେଷଜ୍ଞ ୟାରୋସ୍ଲାଭ୍‌ ଆସିଖ୍‌ମିନ୍‌ କହିଛନ୍ତି, ଆମ ରୋଗୀ ଯେକୌଣସି ମୁହୂର୍ତ୍ତରେ ମରିଯାଇ ପାରନ୍ତି। ତାଙ୍କୁ ‘ଆଇସିୟୁ’କୁ ସ୍ଥାନାନ୍ତର କରାଯିବା ଉଚିତ।

ନାଭାଲ୍‌ନିଙ୍କ ଚିକିତ୍ସା ନିମନ୍ତେ ଚାଲିଥିବା ଆନ୍ତର୍ଜାତିକ ପ୍ରତିବାଦରେ ଗତକାଲି ଫ୍ରାନ୍‌ସ୍‌ ଓ ଜର୍ମାନି ମଧ୍ୟ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର