ୱାସିଂଟନ୍: ରବିବାର ଦିନ ଲୋହିତ ସାଗରରେ ଆମେରିକାର ଗୋଟାଏ ଯୁଦ୍ଧପୋତ ଓ ୩ଟି ପଣ୍ୟବାହୀ ପୋତ ଉପରେ ଆକ୍ରମଣ କରାଯାଇଥିବା କଥା ‘ପେଣ୍ଟାଗନ୍’ କହିଛି।
ପ୍ରତିଆକ୍ରମଣ କରିବାକୁ ଯାଇ ଆମେରିକୀୟ ଯୁଦ୍ଧ ତା’ ଆଡ଼କୁ ଆସୁଥିବା ଏକାଧିକ ‘ଡ୍ରୋନ୍’ ବା ‘ଅନ୍ମ୍ୟାନ୍ଡ୍ ଏରିଏଲ୍ ଭେଇକ୍ଲ୍’କୁ ଗୁଳି ମାରି ଖସାଇ ଦେଇଛି ବୋଲି ‘ଫକ୍ସ୍ ନିଉଜ୍’ ରିପୋର୍ଟ କରିଛି।
ଏହି ଆକ୍ରମଣ ଓ ପ୍ରତିଆକ୍ରମଣ ଇସ୍ରାଏଲ୍-ହମାସ୍ ଯୁଦ୍ଧ ସହିତ ଜଡ଼ିତ ଥିବା ସାମୁଦ୍ରିକ ଆକ୍ରମଣକୁ ଜୋର୍ଦାର୍ କରିପାରେ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ଯୁକ୍ତରାଷ୍ଟ୍ର ଆମେରିକାର ‘ସେଣ୍ଟ୍ରାଲ୍ କମାଣ୍ଡ୍ (ସେଣ୍ଟ୍କମ୍) ଜାରି କରିଥିବା ବିବୃତିରେ ଉଲ୍ଲେଖ ଅଛି, ଆଜି ଲୋହିତ ସମୁଦ୍ରର ଦକ୍ଷିଣ ଭାଗରେ ଥିବା ଆନ୍ତର୍ଜାତିକ ଜଳରାଶିରେ ଗମନାଗମନ କରୁଥିବା ୩ଟି ପୃଥକ୍ ବାଣିଜ୍ୟ ପୋତ ଉପରେ ଆଜି ୪ ଥର ଆକ୍ରମଣ କରାଯାଇଛି। ଏହି ୩ଟି ପଣ୍ୟବାହୀ ପୋତ ୧୪ଟି ଭିନ୍ନ ଭିନ୍ନ ଦେଶ ସହିତ ସମ୍ପୃକ୍ତ ଅଟନ୍ତି।
ଜଣେ ଆମେରିକୀୟ ସରକାରୀ ଅଧିକାରୀ କହିଛନ୍ତି, ବାବ୍ ଅଲ୍-ମାନ୍ଦାବ୍ ପ୍ରଣାଳୀର ଠିକ୍ ଉତ୍ତର ପ୍ରାନ୍ତକୁ ଲୋହିତ ସାଗରର ଦକ୍ଷିଣାଞ୍ଚଳରେ ଥିବା ଯୁଦ୍ଧପୋତ ‘ୟୁଏସ୍ଏସ୍ କାର୍ଣ୍ଣି’ ଆତ୍ମରକ୍ଷା କରିବାକୁ ଯାଇ ତା’ ଆଡ଼କୁ ଅଗ୍ରସର ହେଉଥିବା ୩ଟି ହାଉତୀ ଡ୍ରୋନ୍କୁ ଗୁଳି ମାରି ଖସାଇ ଦେଇଛି। ଉକ୍ତ ଡ୍ରୋନ୍ ସବୁ ୟେମେନ୍ ଅନ୍ତର୍ଗତ ହାଉତୀ ନିୟନ୍ତ୍ରଣାଧୀନ ଅଞ୍ଚଳରୁ ଛଡ଼ାଯାଇଥିଲା।
ସେ କହିଛନ୍ତି, ପୂର୍ବାହ୍ନ ପ୍ରାୟ ୧୦ ବେଳେ ୟେମେନ୍ର ସାନ୍ନା ଅଞ୍ଚଳରୁ ହୋଇଥିବା ଏହି ଡ୍ରୋନ୍ ଆକ୍ରମଣ ପ୍ରାୟ ୫ ଘଣ୍ଟା ଧରି ଚାଲିଥିଲା।
ଉକ୍ତ ଡ୍ରୋନ୍ ସବୁ କେଉଁଠୁ ଛଡ଼ାଯାଇଥିଲା ସେ ସଂକ୍ରାନ୍ତରେ ପେଣ୍ଟାଗନ୍ କିଛି ବିବୃତି ଦେଇନାହିଁ। ସେହିପରି, ହାଉତୀ ମଧ୍ୟ ଏ ବିଷୟରେ ତୁରନ୍ତ କୌଣସି ଟିପ୍ପଣୀ ଦେଇନାହିଁ। କିନ୍ତୁ, ଅଳ୍ପ ସମୟ ପରେ ଗୁରୁତ୍ବପୂର୍ଣ୍ଣ ବିବୃତି ଜାରି କରାଯିବ ବୋଲି ଜଣେ ହାଉତୀ ସାମରିକ ମୁଖପାତ୍ର କହିଛନ୍ତି।