ତାଲିବାନ ଲୁଟିଥିବା ଆମେରିକୀୟ ଅସ୍ତ୍ରଶସ୍ତ୍ରକୁ ନେଇ ବିପଦ ବଢ଼ିବ: ଭାରତୀୟ ସେନା

ନୂଆଦିଲ୍ଲୀ: ତାଲିବାନମାନେ ଆଫଗାନିସ୍ତାନ ଦଖଲ କରିନେବା ପରେ ଆଫଗାନିସ୍ତାନର ଅସ୍ତ୍ରଭଣ୍ଡାର ଏହାର କବ୍‌ଜାକୁ ଚାଲିଆସିଛି। ଏହି ଅସ୍ତ୍ରଭଣ୍ଡାରରେ ବିପୁଳ ପରିମାଣର ଆମେରିକୀୟ ଅସ୍ତ୍ରଶସ୍ତ୍ର ମହଜୁଦ ଥିଲା। ତେବେ ଖବର ମିଳିଛି ଯେ, ତାଲିବାନମାନେ ଏହି ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନ ବୁହାଇବାରେ ଲାଗିଛନ୍ତି। ପାକିସ୍ତାନର ଉଗ୍ରବାଦୀମାନେ ଏହି ଅସ୍ତ୍ରଶସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରିପାରନ୍ତି ବୋଲି ଆଶଙ୍କା ସୃଷ୍ଟି ହୋଇଥିବା ବେଳେ ଭାରତର ବରିଷ୍ଠ ସେନା ଅଧିକାରୀମାନେ କହିଛନ୍ତି ଯେ ଏପରି ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ। କିନ୍ତୁ ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ- ପ୍ରାୟୋଜିତ ଆତଙ୍କବାଦୀ ସଂଗଠନଗୁଡ଼ିକ ପ୍ରଥମେ ଏହି ଅସ୍ତ୍ରଶସ୍ତ୍ରକୁ ପାକିସ୍ତାନରେ ହିଁ ହିଂସା ସୃଷ୍ଟି କରିବା ପାଇଁ ବ୍ୟବହାର କରିବେ, ତା’ପରେ ସେମାନେ ଏଗୁଡ଼ିକୁ ଭାରତରେ ହିଂସା ସୃଷ୍ଟି ପାଇଁ ଭାରତରେ ଥିବା ଉଗ୍ରବାଦୀମାନଙ୍କ ପାଖକୁ ପଠାଇବେ।

ସେନା ଅଧିକାରୀମାନେ କହିଛନ୍ତି ଯେ, ଖବର ମିଳିଛି ଆମେରିକୀୟ ଅସ୍ତ୍ରଶସ୍ତ୍ର ଏବେ ପାକିସ୍ତାନ ଚାଲାଣ କରାଯାଉଛି। କିନ୍ତୁ ତାଲିବାନଙ୍କ ବିଜୟରେ ଏହି ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକର ସାହସ ଯେମିତି ବଢ଼ିଯାଇଛି, ସେଥିରୁ ମନେହେଉଛି ସେମାନେ ଏହି ଅସ୍ତ୍ରଶସ୍ତ୍ରକୁ ପ୍ର‌ଥମେ ପାକିସ୍ତାନରେ ହିଂସା ସୃଷ୍ଟି ପାଇଁ ବ୍ୟବହାର କରିବେ। କାଶ୍ମୀର ଉପତ୍ୟକାରେ ଭାରତୀୟ ସେନା ଯେପରି ସଜାଗ ଅଛି, ଭାରତ ଭିତରକୁ ପାକିସ୍ତାନୀ ଆତଙ୍କବାଦୀ କିମ୍ବା ଉକ୍ତ ଆମେରିକୀୟ ଅସ୍ତ୍ରଶସ୍ତ୍ର ଆସିବା ସହଜ ନୁହେଁ ବୋଲି ବରିଷ୍ଠ ସେନା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର